ପଞ୍ଚଭୂତରେ ଲୀନ ହେଲେ ଅଭିନେତ୍ରୀ ତୁନିଷା ଶର୍ମା, ଶେଷ ବିଦାୟ ଦେଲେ ଆତ୍ମୀୟ

1 min read

ମୁମ୍ବାଇ: ୨୦ ବର୍ଷୀୟା ଅଭିନେତ୍ରୀ ତୁନିଷା ଶର୍ମା ପଞ୍ଚଭୂତରେ ଲୀନ ହୋଇଛନ୍ତି । ପରିବାର ଏବଂ ସାଙ୍ଗସାଥିମାନେ ଅଭିନେତ୍ରୀଙ୍କୁ ଶେଷ ବିଦାୟ ଦେଇଛନ୍ତି । ଅକାଳରେ ତାଙ୍କର ବିୟୋଗରେ ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକର ଲହର ରହିଛି । ଅପରାହ୍ନ ୪ଟାରେ ମୀରା ରୋଡ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ତୁନିଷାଙ୍କ ମାମୁଁ ତାଙ୍କୁ ମୁଖାଗ୍ନି ଦେଇଥିଲେ ।  କେହି ବିଶ୍ୱାସ କରି ପାରୁନାହାନ୍ତି ଯେ ତୁନିଷାଙ୍କ ଭଳି ଖୁସି ମିଜାଜର ପିଲା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ।

ତୁନିଷାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ମାମଲାରେ ତୁନିଶାଙ୍କ ଏକ୍ସ ବଏପ୍ରେଣ୍ଡ ଏବଂ କୋ-ଆକ୍ଟର ଶୀଜାନ ଖାନଙ୍କୁ ଗିରଫ କରିଛି । ଶୀଜାନଙ୍କ ଉପରେ ତୁନିଷାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ ରହିଛି । ଆଜି ଶ୍ମଶାନ ଘାଟରେ ଯେତବେଳେ ତୁନିଷାଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା ସେତେବେଳେ ତାଙ୍କ ମାଆଙ୍କ ସ୍ଥିତି ବହୁତ ଖରାପ ଥିଲା । ଏକମାତ୍ର ଝିଅର ମୃତ୍ୟୁକୁ ବରଦାସ୍ତ ପାରିନଥିଲେ ମାଆ । ଲଗାତାର ସେ ବେହୋସ୍ ହୋଇଯାଇଥିଲେ । ପରିବାର ଲୋକେ ଓ ସମ୍ପର୍କୀୟ ତାଙ୍କୁ ସମ୍ଭାଳିଥିଲେ ।

ସେହିପରି ଶୀଜାନ ଖାନଙ୍କ ମାଆ ଏବଂ ଭଉଣୀ ମଧ୍ୟ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ଏହି ସମୟରେ ଉଭୟ ମଧ୍ୟ କାନ୍ଦୁଥିବାର ଦେଖାଯାଇଥିଲା । ଗତ ୨୪ ଡିସେମ୍ବର ଅପରାହ୍ନରେ ସୁଟିଂ ସେଟରେ ହିଁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ଅଭିନେତ୍ରୀ ତୁନିଷା ଶର୍ମା । ଏହାପରେ ତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ କୋ-ଆକ୍ଟର ଶୀଜାନଙ୍କୁ ଗିରଫ କରିଥିଲା । ରବିବାର ତାଙ୍କୁ ବସଇ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ପୋଲିସ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ତଦନ୍ତ ଜାରି ରଖିଛି ପୋଲିସ ।