ଶେଷ ଥର ପାଇଁ ‘କେମିତି କହିବି କହ’ ସିରିଏଲରେ ନଜର ଆସିଥିଲେ ରଶ୍ମିରେଖା

ଭୁବନେଶ୍ୱର: ଟିଭି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା । ନୟାପଲ୍ଲୀ ଥାନା ଗଡ଼ସାହିରେ ରଶ୍ମି ଆତ୍ମହତ୍ୟା କରିଛନ୍ତି । ଘର ଭିତରୁ ନୟାପଲ୍ଲୀ ଥାନା ପୋଲିସ ଏକ ସୁଇସାଇଡିଆଲ ନୋଟ ଜବତ କରିଛି । ତାଙ୍କ ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି । ଗତକାଲି ରାତି ପ୍ରାୟ ୧୦ଟାରେ ରଶ୍ମି ଆତ୍ମହତ୍ୟା ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ଶବ ଜବତ କରିଥିଲା ।

ବାପା ଓ ପରିବାର ଲୋକଙ୍କୁ କାହାରିକୁ ଦାୟୀ କରିବାକୁ ଚିଠିରେ ମନା କରିଛନ୍ତି ରଶ୍ମିରେଖା । କୌଣସି ଅଘଟଣ କିମ୍ବା ମାନସିକ ଚାପକୁ ନେଇ ରଶ୍ମି ଏଭଳି ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢାଯିବ ବୋଲି ପୋଲିସ ସୂଚନା ଦେଇଛି । ଓଡ଼ିଆ ଟେଲି ଧାରାବାହିକ କେମିତି କହିବି କହରେ ଅଭିନୟ କରିଥିଲେ ରଶ୍ମିରେଖା ।