ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି । ଏହାମଧ୍ୟରେ ତୁର୍କୀ ପକ୍ଷରୁ ହମାସର ରାଜନୈତିକ ବ୍ୟୁରୋ ମୁଖ୍ୟଙ୍କୁ ଝଟକା ଲାଗିଛି । ହମାସ ରାଜନୈତିକ ବ୍ୟୁରୋ ମୁଖ୍ୟ ଇସମାଇଲ ହାନିଆ ଏବଂ ଅନ୍ୟମାନଙ୍କୁ ତୁର୍କୀ ଛାଡିବାକୁ ଚେତାବନୀ ଦିଆଯାଇଛି ।
ଇସମାଇଲ ହାନିଆ ହେଉଛି ହମାସର ମୁଖିଆ। ୧୯୬୨ ଜାନୁଆରୀ ୨୯ ତାରିଖରେ ଗାଜା ଷ୍ଟ୍ରିପର ଏକ ଶରଣାର୍ଥୀ ଶିବିରରେ ଜନ୍ମ ହୋଇଥିଲା । ହାନିଆ ପାଠପଢା ସମୟରୁ ହିଁ ହମାସରେ ସାମିଲ ହୋଇଥିଲା। ଖାଲି ଏତିକି ନୁହେଁ ପରବର୍ତ୍ତୀ ସମୟରେ ସେ ପାଲେଷ୍ଟାଇନର ପ୍ରଧାନମନ୍ତ୍ରୀ ହୋଇଥିଲା। ବହୁ ବର୍ଷ ପୂର୍ବେ ଗାଜା ଷ୍ଟ୍ରିପରୁ ପଳାଇ କାତାର ରହୁଥିଲା ହାନିଆ । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ ପୂର୍ବରୁ ହାନିଆ କହିଥିଲା, ଯେ ଆମ ଲୋକଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ପାଶ୍ଚାତ୍ୟ ସମର୍ଥନକୁ ନେଇ ଆମେ ଏବେ ସବୁଶେଷ କରିବାକୁ ନିଷ୍ପତ୍ତି ନେଇଛୁ।
ହମାସ୍ କ’ଣ?
ହମାସ ହେଉଛି ପାଲେଷ୍ଟାଇନର ଏକ ମୁସଲିମ୍ ଉଗ୍ରବାଦୀ ସଂଗଠନ। ଏହା ୧୯୮୭ରେ ଗଠିତ ହୋଇଥିଲା । ଯାହାର ମୁଖିଆ ହେଉଛି ଇସମାଇଲ ହାନିଆ । ଇସ୍ରାଏଲ, ଆମେରିକା ସମେତ ଅନେକ ଦେଶ ହମାସକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି। ୨୦୦୭ ଠାରୁ ଗାଜା ଷ୍ଟ୍ରିପ୍ ଉପରେ ହମାସ ଆଧିପତ୍ୟ ଜାହିର କରିଛି। ଦୀର୍ଘ ଦିନ ଧରି ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଆସୁଛି । ତେବେ ହମାସକୁ ସର୍ବାଧିକ ସମର୍ଥନ କରିଥାଏ ଇରାନ। ଖାଲି ଏତିକି ନୁହେଁ ହମାସକୁ ସବୁଠୁ ଅଧିକ ଫଣ୍ଡିଂ ଇରାନରୁ ଆସିଥାଏ ବୋଲି ରିପୋର୍ଟରୁ ପ୍ରକାଶ ।

