ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରିବା ଔକାତ ତୁମର ନାହିଁ, ଏମିତି କହି ଶ୍ରମିକଙ୍କୁ ଟ୍ରେନରୁ ଓହ୍ଲାଇ ଦେଲେ ଟିଟିଇ

1 min read

କୋଡରମା : ସେମାନଙ୍କ ପାଖରେ ବୈଧ ଟିକେଟ୍ ଥିଲା । କିନ୍ତୁ ତାଙ୍କ ବେଶଭୁଷା ଟିଟିଇଙ୍କୁ ପସନ୍ଦ ଆସିନଥିଲା । ତେଣୁ ଭୁବନେଶ୍ୱର ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଟିଟିଇ ଦୁଇ ଜଣ ଶ୍ରମିକଙ୍କୁ ଧକ୍କା ଦେଇ ଟ୍ରେନରୁ ଓହ୍ଲାଇ ଦେଇଛନ୍ତି । ଟିଟିଇଙ୍କ ଏଭଳି ଗୁଣ୍ଡାଗର୍ଦ୍ଦିର ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି ।


ବୁଧବାର ଦିନ ଦୁଇ ଜଣ ଶ୍ରମିକ ରାମଚନ୍ଦ୍ର ଯାଦବ ଓ ଅଜୟ ଯାଦବ ଭୁବନେଶ୍ୱର ଆସିବା ପାଇଁ ରାଜଧାନୀ ଏକ୍ସପ୍ରେସର ବି-୨ କୋଚରେ ଚଢିଥିଲେ । ସେମାନଙ୍କ ପାଖରେ ବୈଧ ଟିକେଟ୍ ଥିଲା । କିନ୍ତୁ ଟିଟିଇଙ୍କ ପାଇଁ ଦୁଇ ଜଣ ଶ୍ରମିକ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରିବା ଅସହନୀୟ ଥିଲା । ଟିକେଟ୍ ରଖିଥିବା ସତ୍ୱେ ସେ ଦୁଇ ଯାତ୍ରୀଙ୍କୁ ଟ୍ରେନରୁ ଓହ୍ଲାଇ ଯିବାକୁ କହିଥିଲେ । ଦୁଇ ଶ୍ରମିକଙ୍କ ଅଭିଯୋଗ ହେଉଛି ଯେ, ଟିଟିଇ ସେମାନଙ୍କୁ ଧମକ ଦେବା ସହ ଟ୍ରେନରୁ ଓହ୍ଲାଇ ଯିବାକୁ କହିଥିଲେ । ସେ କହିଥିଲେ ଯେ, ତୁମେ ଦୁଇ ଜଣ ଶ୍ରମିକ,ତୁମର ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରିବାର ଔକାତ ନାହିଁ । କେବଳ ଏତିକି ନୁହେଁ ଟ୍ରେନରୁ ନଓହ୍ଲାଇଲେ ତୁମ ମାନଙ୍କ ଉପରେ ୫ ହଜାର ଟଙ୍କାର ଫାଇନ୍ ପକାଇବି ବୋଲି ଟିଟିଇ ଧମକ ଦେଇଥିଲେ ।

ଟିଟିଇଙ୍କ ଏଭଳି କାଣ୍ଡକାରଖାନା ଚାଲିଥିବା ବେଳେ ବାକି ଯାତ୍ରୀ ମୁକଦର୍ଶକ ସାଜିଥିଲେ । ଟ୍ରେନରୁ ଓହ୍ଲାଇବା ପରେ ଦୁଇ ଶ୍ରମିକ କୋଡରମା ଷ୍ଟେଶନ ମାଷ୍ଟରଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଧନବାଦ ରେଳ ମଣ୍ଡଳ ଅଧିକାରୀଙ୍କ ପାଖକୁ ପଠାଯାଇଛି ବୋଲି ଷ୍ଟେଶନ ମାଷ୍ଟର କହିଛନ୍ତି ।

Leave a Reply