ମାଉସୀଙ୍କ ଚାଞ୍ଚଲ୍ୟକର ବୟାନ, ଜନ୍ମଦିନ ପାଳିବାକୁ ଯାଉଥିଲେ ପୋର୍ଟବ୍ଲେୟାର

ଭୁବନେଶ୍ୱର: ପ୍ରକୃତିଙ୍କୁ ଦୁର୍ବ୍ୟବହାର ଘଟଣାରେ ମୁହଁ ଖୋଲିଲେ ତୃପ୍ତିଙ୍କ ମାଉସୀ  । କହିଲେ ଏକ ବର୍ଷ ଧରି ଘରକୁ ଆସୁନାହାନ୍ତି ବାବୁସାନ୍‌ । ଆସନ୍ତା ଜୁଲାଇ ୩୦ରେ ବାବୁସାନ୍‌ଙ୍କ ଜନ୍ମଦିନ ପାଳିବାକୁ ପ୍ରକୃତିଙ୍କୁ ନେଇ ଯାଉଥିଲେ ପୋର୍ଟବ୍ଲେୟାର  । ଏଭଳି କିଛି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମାଉସୀ । ସେ କହିଛନ୍ତି ବାବୁସାନ୍‌ ଓ ପ୍ରକୃତିଙ୍କ ସମ୍ପର୍କ ନେଇ ଉଭୟ ପରିବାର ଜାଣିଛନ୍ତି  ।

ଏପରିକି ପ୍ରକୃତିଙ୍କୁ ବୁଝାଇବା ପାଇଁ କିଛି ଦିନ ପୂର୍ବେ ତୃପ୍ତିଙ୍କ ପରିବାର ମନ୍ମଥ ମିଶ୍ରଙ୍କ ପରିବାରକୁ ଭେଟିଥିଲେ  । ହେଲେ ସେ ଉଭୟ ବାବୁସାନ୍‌ ଓ ପ୍ରକୃତିଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପାଇଁ ତୃପ୍ତିଙ୍କୁ ପରାମର୍ଶ ଦେଇଥିଲେ  । ଆହୁରି ମଧ୍ୟ ବାବୁସାନ ଘରକୁ ଏକ ବର୍ଷ ଧରି ଆସୁ ନଥିବା ସହ ସ୍ତ୍ରୀ ଓ ଛୁଆକୁ ପଚାରୁ ନଥିବା ଅଭିଯୋଗ କରିଛନ୍ତି ମାଉସୀ ।

ରାଜଧାନୀର ସତ୍ୟନଗରରେ ଉଭୟ ଏକ ଭଡାଘରେ ରହୁଥିବା ସେ ଅଭିଯୋଗ କରିଛନ୍ତି। ଆଜି ସକାଳୁ ପୋର୍ଟବ୍ଲେୟାର ଯିବା ପାଇଁ ବିମାନବନ୍ଦର ଯିବା ସମୟରେ ତୃପ୍ତି ଖବର ପାଇ ପହଞ୍ଚି ରାସ୍ତାରେ ତୁମୁଳୁକାଣ୍ଡ ଘଟାଇଥିଲେ ।

ସେପଟେ ବାବୁସାନ୍‌ ସବୁବେଳେ ନିଶାସକ୍ତ ରହୁଥିବାରୁ ଗତ ଦୁଇ ବର୍ଷ ଧରି ପରିବାରରେ ତିକ୍ତତା ଲାଗି ରହିଥିଲା । କିନ୍ତୁ ପ୍ରେମ ବିବାହ କରିଥିବାରୁ ଏହି ଘଟଣାର ନିଜେ ସମାଧାନ କରିବାକୁ ତୃପ୍ତି ନିଷ୍ପତ୍ତି ନେଇଥିବା କହିଥିଲେ ତାଙ୍କ ମାଉସୀ  । ମାତ୍ର ଘଟଣାର କୌଣସି ସମାଧାନ ନ ହେବାରୁ ଆଜି ତୃପ୍ତି ଏଭଳି କରିଥିବା କହିଛନ୍ତି ମାଉସୀ  ।