ହମାସକୁ ଟ୍ରମ୍ପଙ୍କ ଚେତାବନୀ ; ଯୁଦ୍ଧବିରତିରୁ ଓହରିଲେ ମୂଳପୋଛ କରିଦେବ ଆମେରିକା

ନନ୍ଦିଘୋଷ ବ୍ୟୁରୋ: ଆତଙ୍କୀ ସଂଗଠନ ହମାସକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚରମ ଚେତାବନୀ। ଇସ୍ରାଏଲ ସହ ଯୁଦ୍ଧବିରତି ଭଙ୍ଗ କଲେ ଭୋଗିବାକୁ ପଡିବ ବଡ଼ ପରିଣାମ । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧବିରତି ବଜାୟ ରହୁ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଏହାର ଖିଲାପ କଲେ ପରିଣାମ ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ । ଯୁଦ୍ଧବିରତିରୁ ଓହରିଲେ ହମାସକୁ ମୂଳପୋଛ କରିଦେବାକୁ ଟ୍ରମ୍ପ ଧମକ ଦେଇଛନ୍ତି । କହିଛନ୍ତି ଆତଙ୍କବାଦୀ ଗୋଷ୍ଠୀକୁ ଯୁଦ୍ଧବିରତି ଆଚରଣ ଗ୍ରହଣ କରିବାକୁ ପଡିବ । ନଚେତ ହିଂସାତ୍ମକ ପରିଣାମର ସମ୍ମୁଖୀନ ହେବେ ବୋଲି କହିଛନ୍ତି ଟ୍ରମ୍ପ । ହମାସକୁ ଭଲ ହେବାକୁ ପଡିବ । ଯଦି ସେମାନେ ଭଲ ନହୁଅନ୍ତି ତେବେ ମୂଳପୋଛ କରିଦିଆଯିବ ବୋଲି କହିଛନ୍ତି ଟ୍ରମ୍ପ ।

କିନ୍ତୁ ସେ ସତର୍କ କରାଇ କହିଛନ୍ତି ଯଦି ହମାସ ଆକ୍ରମଣ ଜାରି ରଖେ ତାହେଲେ ଆମେ ଭିତରକୁ ଯାଇ ଏହାକୁ ସଜାଡ଼ିବୁ। ଏହାପରେ ବହୁତ ଶୀଘ୍ର ଏବଂ ହିଂସାତ୍ମକ ଭାବରେ ଏସବୁର ଅନ୍ତ ହେବ । ଯାହା ଆମେରିକା କରିବାକୁ ଚାହୁଁନାହିଁ ବୋଲି କହିଛନ୍ତି ଟ୍ରମ୍ପ। ଆମେରିକା ବାରମ୍ବାର ହମାସକୁ ଅସ୍ତ୍ରବିରତି ପାଳନ କରିବାକୁ ଚେତାବନୀ ଦେଇଆସୁଛି। ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ହମାସକୁ ଚେତାବନୀ ଦେଇଛନ୍ତି । କହିଛନ୍ତି ଯଦି ହମାସ ଇସ୍ରାଏଲ ସେନା ଉପରେ ପୁନଃ ଆକ୍ରମଣ କରେ ତେବେ ଏଥିଲାଗି ହମାସକୁ ଭାରି ମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି ନେତନ୍ୟାହୁ ।