ନନ୍ଦିଘୋଷ ବ୍ୟୁରୋ: ପୁଣି ଭାରତ-ପାକିସ୍ତାନ ଯୁଦ୍ଧ ରୋକିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ l ଡାଭୋସ ଠାରେ ଆୟୋଜିତ ବିଶ୍ବ ଅର୍ଥନୈତିକ ଫୋରମ ସମ୍ମିଳନୀରେ ନିଜ ଢୋଲ ନିଜେ ପିଟିଛନ୍ତି ଟ୍ରମ୍ପ l କେବଳ ଭାରତ-ପାକିସ୍ତାନ ଯୁଦ୍ଧ ନୁହେଁ ବରଂ ୮ଟି ଯୁଦ୍ଧ ବନ୍ଦ କରିଛନ୍ତି ବୋଲି କହିଛନ୍ତି ଟ୍ରମ୍ପ l ଟ୍ରମ୍ପଙ୍କ ଏହି ଯୁକ୍ତିକୁ ପୂର୍ବରୁ ଭାରତ ବାରମ୍ବାର ଅଗ୍ରାହ୍ୟ କରିଆସୁଥିଲେ ବି ବାରମ୍ବାର ଟ୍ରମ୍ପ ଏହି କଥା ଦୋହରାଉଛନ୍ତି l ଗତ ମଙ୍ଗଳବାର ନିଜର ଦ୍ବିତୀୟ ପାଳିର ପ୍ରଥମ ବାର୍ଷିକୀ ଅବସରରେ ହ୍ବାଇଟ ହାଉସରେ ବି ସେହି କଥା ଦୋହରାଇଥିଲେ ଟ୍ରମ୍ପ l ଏପରିକି ସେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଥିବା ବିଷୟ ଉଲ୍ଲେଖ କରିଥିଲେ ଟ୍ରମ୍ପ l ତେଣେ ଗ୍ରୀନଲ୍ୟାଣ୍ଡ ପ୍ରସଙ୍ଗରେ ନିଜକୁ ଦୂରେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ l ସେ କହିଛନ୍ତି- ଗ୍ରୀନଲ୍ୟାଣ୍ଡ ପ୍ରସଙ୍ଗ ସହ ରୁଷର କୌଣସି ସମ୍ପର୍କ ନାହିଁ l
ସେପଟେ ଟାରିଫ ପ୍ରତ୍ୟାହାର ପ୍ରସଙ୍ଗରେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଡେନମାର୍କ ବୈଦେଶିକ ମନ୍ତ୍ରୀ ଲାର୍ସ ଲୋକ୍କେ ରସମସେନ l ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଏକ ସକରାତ୍ମକ ବାତାବରଣ ସୃଷ୍ଟି କରିଛି ବୋଲି ସେ କହିଛନ୍ତି l ତେଣେ ସଙ୍କଟ କାଳରେ ଆମେରିକା ସହ ନାଟୋ ରହିବ ବୋଲି କହିଛନ୍ତି ନାଟୋ ମହାସଚିବ ମାର୍କ ରୁଟ୍ଟେ l ଯଦିଓ ରୁଟ୍ଟେଙ୍କୁ ଟ୍ରମ୍ପ ପ୍ରଶଂସା କରିଛନ୍ତି ତଥାପି ଗ୍ରୀନଲ୍ୟାଣ୍ଡ ପ୍ରସଙ୍ଗରେ ଦ୍ବନ୍ଦ୍ବ ରହିଛି ବୋଲି ସେ କହିଛନ୍ତି l ଗ୍ରୀନଲ୍ୟାଣ୍ଡକୁ ନିଜ ନିୟନ୍ତ୍ରଣକୁ ନେବା ଲାଗି ସାମରିକ ବଳ ପ୍ରୟୋଗ କରିବା ଲାଗି ଡାଭୋସ ସମ୍ମିଳନୀରେ ଟ୍ରମ୍ପ କହିଥିବା ସତ୍ତ୍ବେ ପରେ ମୁହୂର୍ତ୍ତରେ ଏହି ବୟାନରୁ ସେ ଓହରିଥିଲେ l ତେବେ ଆମେରିକାର ଜାତୀୟ ନିରାପତ୍ତା ଲାଗି ଗ୍ରୀନଲ୍ୟାଣ୍ଡ ଜରୁରୀ ବୋଲି ସେ କହିଥିଲେ l କେବଳ ଆମେରିକା ନୁହେଁ ବରଂ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଓ ବିଶ୍ବକୁ ସୁରକ୍ଷା ଦେବା ଲାଗି ଏହା ଜରୁରୀ ବୋଲି ସେ କହିଥିଲେ l

