ତେଜିଲା ଏଲନ ମସ୍କ ଓ ଟ୍ରମ୍ପ ବିବାଦ; ପରସ୍ପର ବିରୋଧରେ ଉଭୟଙ୍କ କଟୁ ବୟାନ .
1 min read
ନନ୍ଦିଘୋଷ ବ୍ୟୁରୋ: ମାତ୍ର ଅଳ୍ପ ଦିନ ଭିତରେ ଘନିଷ୍ଠ ବନ୍ଧୁତାରୁ ଚରମ ଶତ୍ରୁତା। ଜଣେ କେମିତି ଘନିଷ୍ଠ ବନ୍ଧୁରୁ ଚରମ ଶତ୍ରୁ ପାଲଟି ଯାଏ, ତାର ଉଦାହରଣ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ବିଶ୍ଵର ସବୁଠାରୁ ବଡ଼ ଧନୀ ଏଲନ ମସ୍କ। ଉଭୟଙ୍କ ମଧ୍ୟରେ ବିବାଦ ଏତେ ତୀବ୍ର ହୋଇଛି ଯେ, ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ପଦରୁ ବହିଷ୍କାର କରାଯାଉ ବୋଲି ମଧ୍ଯ ଦାବି କରିଛନ୍ତି ମସ୍କ। ମହାଭିଯୋଗ ଆଣିବାକୁ ସେ ପ୍ରସ୍ତାବ ଦେଇଛନ୍ତି।
ଏପରିକି ପୁରୁଣା କଥାକୁ ଉଖାରି କେବଳ ତାଙ୍କ ପାଇଁ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ, ନ ହେଲେ ହାରି ଯାଇଥାନ୍ତେ ବୋଲି କହିଛନ୍ତି ଏଲନ ମସ୍କ। ସେ କହିଛନ୍ତି, ଏପଷ୍ଟାଇନ ଫାଇଲରେ ଅଛି ଟ୍ରମ୍ପଙ୍କ ନାଁ। ତେଣୁ ଦେଶର ରାଷ୍ଟ୍ରପତି ପଦରେ ରହିବାର ତାଙ୍କର ଅଧିକାର ନାହିଁ। ଏଲନ ମସ୍କ ଥିଲେ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ। ନିର୍ବାଚନ ବେଳେ ପ୍ରାୟ ୨୦୦ କୋଟି ଡଲାରର ଚାନ୍ଦା ଟ୍ରମ୍ପଙ୍କୁ ଦେଇଥିଲେ ମସ୍କ। ଏହା ସତ ଯେ, ଟ୍ରମ୍ପଙ୍କ ବିଜୟରେ ମସ୍କଙ୍କ ବଡ଼ ହାତ ଥିଲା। ଏପରିକି ଟ୍ରମ୍ପ ଦ୍ଵିତୀୟ ଥର ରାଷ୍ଟ୍ରପତି ହେବା ପରେ ଖର୍ଚ୍ଚ ବିଭାଗ DOGE ର ମୁଖ୍ୟ ପଦରେ ମସ୍କଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ଟ୍ରମ୍ପଙ୍କ ତଥାକଥିତ ବିଗ୍ ଆଣ୍ଡ ବିୟୁଟିଫୁଲ୍ ବିଲ୍ ଯୋଗୁଁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଏବଂ କିଛି ଦିନ ତଳେ DOGE ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ ମସ୍କ। ଏଲନଙ୍କ କମ୍ପାନୀଗୁଡ଼ିକ ସହିତ ସରକାରୀ ଚୁକ୍ତି ବାତିଲ କରିବାକୁ ଧମକ ଦେଇଥିଲେ ଟ୍ରମ୍ପ। ଏହା ପରେ ଟେସଲା ଏବଂ ସ୍ପେସଏକ୍ସର ସିଇଓ ସ୍ପେସଏକ୍ସର ଡ୍ରାଗନ୍ ମହାକାଶଯାନ ପ୍ରକଳ୍ପକୁ ବନ୍ଦ କରିବାର ଘୋଷଣା କରିଥିଲେ। ଟ୍ରମ୍ପଙ୍କ ” One Big Beautiful Bill ” ଉପରେ ମସ୍କଙ୍କ ସମାଲୋଚନାକୁ ନେଇ ଏହି ଫାଟ ସୃଷ୍ଟି ହୋଇଥିଲା। ଟ୍ରମ୍ପଙ୍କ ବ୍ୟାପକ ଟିକସ କାଟ ଏବଂ ଖର୍ଚ୍ଚ ବିଲ୍ କୁ ନିନ୍ଦା ମସ୍କ ନିନ୍ଦା କରିଥିଲେ। ଏହାକୁ ନେଇ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଥିଲେ। ଏଲନ ନିରାଶ କରିଛନ୍ତି ବୋଲି କହିଥିଲେ। EV ଟିକସ ପ୍ରୋତ୍ସାହନ ହଟାଇ ଦିଆଯାଇଥିବାରୁ ମସ୍କ ଅସନ୍ତୋଷ ପ୍ରକାଶ କରିଥିଲେ।
ଏହା ପରେ ଟ୍ରମ୍ପ କହିଥିଲେ, ମସ୍କଙ୍କ କମ୍ପାନିକୁ ଦିଆଯାଇଥିବା କଣ୍ଟ୍ରାକ୍ଟ ଓ ସବସିଡିକୁ ବନ୍ଦ କରିଦେଲେ ତ ବହୁତ ସଞ୍ଚୟ ହୋଇପାରିବ। ଏହାକୁ ନେଇ ରାଗି ଯାଇଛନ୍ତି ମସ୍କ ଏବଂ ଏପଷ୍ଟାଇନ୍ ପ୍ରସଙ୍ଗ ଉଠାଇ ଟ୍ରମ୍ପଙ୍କୁ ବହିଷ୍କାର କରିବାକୁ ମଧ୍ୟ ଦାବି କରିଛନ୍ତି। ତେବେ ଏହି ବିବାଦ ପରେ ଟେସଲାର ସେୟାର ଖସିଛି। ଦିନକରେ କ୍ଷତି ହୋଇଛି ୧୫୨ ବିଲିୟନ ଡଲାର।