ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଲାଗି ଆଗ୍ରହୀ ପାକିସ୍ତାନ। ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ଲାଗି ପ୍ରମୁଖ ଭୂମିକା ଗ୍ରହଣ କରିପାରେ ପାକିସ୍ତାନ । ବିବାଦର ଅବସାନ ଲାଗି କୂଟନୈତିକ ଆଲୋଚନାକୁ ଅଗ୍ରାଧିକାର ଦେଇଛି ପାକିସ୍ତାନ । ସେପଟେ ଆମେରିକା ସହ କୌଣସି ପ୍ରକାର ଆଲୋଚନା ଲାଗି ଅଗ୍ରାହ୍ୟ କରିଛି ଇରାନ। ଇସଲାମାବାଦରେ ଏହି ଆଲୋଚନା କରିବାକୁ ପାକିସ୍ତାନ ପ୍ରସ୍ତାବ ଦେଇଥିବାବେଳେ ଏନେଇ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ସେୟାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ।
ଯୁଦ୍ଧର ଅବସାନ ଲାଗି ପାକିସ୍ତାନ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଥିଲେ ସରିଫ। ପଶ୍ଚିମ ଏସିଆରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଲାଗି ପାକିସ୍ତାନ ସର୍ବଦା ଆଗ୍ରହୀ ବୋଲି କହିଥିଲେ ସରିଫ। ତେଣେ କୌଣସି ପ୍ରକାର ଆଲୋଚନାକୁ ଇରାନ ଅଗ୍ରାହ୍ୟ କରିବା ଘଟଣା ଶାନ୍ତି ପ୍ରତିଷ୍ଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ପଶ୍ଚିମ ଏସିଆ ପ୍ରସଙ୍ଗରେ ଜାତିସଂଘରେ ହୋଇଛି ଆଲୋଚନା। କେବଳ ମିତ୍ରରାଷ୍ଟ୍ରର ଜାହାଜଗୁଡ଼ିକୁ ହର୍ମୁଜ ପ୍ରଣାଳୀ ଦେଇ ଛଡ଼ାଯିବ ବୋଲି ଜାତିସଂଘରେ କହିଛି ଇରାନ। ତେଣେ ଶାନ୍ତି କଥାବାର୍ତ୍ତା ଲାଗି ଚୀନ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଇଚ୍ଛୁକ ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି। ସେ ଏନେଇ ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଚିଙ୍କ ସହ ଆଲୋଚନା କରିଛନ୍ତି।

