ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲା; ଆଜି ସରେଣ୍ଡର କରିପାରନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ: ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲା । ଆଜି କୋର୍ଟରେ ସରେଣ୍ଡର କରିପାରନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଏନେଇ ନ୍ୟୁୟର୍କ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମାନହଟ୍ଟନ କ୍ରିମିନାଲ କୋର୍ଟ ଚାରିପାଖେ ବ୍ୟାରିକେଡ କରାଯାଇଥିବାବେଳେ ସମର୍ଥକମାନେ ନାରାବାଜି କରିବା ଆଶଙ୍କା ଥିବାରୁ ପୋଲିସ ସତର୍କତାମୂଳକ ପଦକ୍ଷେପ ନେଇଛି ।

କୋର୍ଟରେ ଆତ୍ମସମର୍ପଣ କରିବା ଲାଗି ଟ୍ରମ୍ପ ଫ୍ଲୋରିଡାରୁ ନ୍ୟୁୟର୍କ ଯିବେ ବୋଲି କୁହାଯାଇଛି । ୨୦୧୬ରେ ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କ ବିରୋଧରେ କି ଦଣ୍ଡ ଘୋଷଣା ହେବ ତାହା ଅପେକ୍ଷା କରାଯାଇଛି। ଅପରାଧିକ ମାମଲାରେ ଦୋଷୀସାବ୍ୟସ୍ତ ହେବାରେ ଟ୍ରମ୍ପ ହେଉଛନ୍ତି ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି। ସମ୍ଭାବ୍ୟ ଉତ୍ତେଜନା ଆଶଙ୍କାରେ ମାନହଟ୍ଟନ କୋର୍ଟ ନିକଟସ୍ଥ ଅନ୍ୟାନ୍ୟ କୋର୍ଟଗୁଡିକୁ ବନ୍ଦ କରିଦିଆଯାଇଛି।

ସେପଟେ ଟ୍ରମ୍ପ ମାମଲାର ବିଚାର କରୁଥିବା ମାନହଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଆଲଭିନ ବ୍ରାଗ ଓ ଜୁରୀ ସଦସ୍ୟମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସୋସିଆଲ ମିଡିଆରେ ଆହ୍ବାନ ଦିଆଯାଇଛି । ୨୦୧୬ ରାଷ୍ଟ୍ରପତି ନିର୍ବାଚନ ସମୟରେ ଚୁପ୍ ରହିବା ଲାଗି ପର୍ଣ୍ଣଷ୍ଟାର ତଥା ଅଭିନେତ୍ରୀ ଷ୍ଟର୍ମି ଡାନିଏଲ୍ସଙ୍କୁ ଟ୍ରମ୍ପ ତାଙ୍କ ଓକିଲ ମାଇକେଲ କୋହେନଙ୍କ ଜରିଆରେ ୧ ଲକ୍ଷ ୩୦ ହଜାର ଡଲାର ଦେଇଥିବା ନେଇ ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ୨୦୦୬ରେ ଟ୍ରମ୍ପ ତାଙ୍କୁ ଯୌନଗତ ଆଚରଣ ପ୍ରଦର୍ଶନ କରିଥିଲେ ଏବଂ ଏହି ଘଟଣାରେ ଚୁପ୍ ରହିବା ଲାଗି ତାଙ୍କୁ ୨୦୧୬ରେ ଟଙ୍କା ଦିଆଯାଇଥିଲା ବୋଲି ଅଭିଯୋଗ କରିଥିଲେ ଡାନିଏଲ୍ସ । ପୂ୍ର୍ବରୁ ହ୍ବାଇଟହାଉସରୁ ଗୁରୁତ୍ବପୂର୍ଣ୍ଣ ଫାଇଲ ନିଜ ବାସଭବନକୁ ନେବା ଅଭିଯୋଗରେ ଟ୍ରମ୍ପଙ୍କ ବିରୋଧରେ ଏଫବିଆଇ ତଦନ୍ତ ଜାରି ରହିଛି । ସେହିପରି ରାଷ୍ଟ୍ରପତି ନିର୍ବାଚନରେ ଅନିୟମିତତା ଅଭିଯୋଗ କ୍ରମେ ନିଜ ସମର୍ଥକଙ୍କ ସହ ଗତ ୨୦୨୧ ଜାନୁଆରୀ ୬ରେ କାପିଟଲ ବିଲଡିଂ ସମ୍ମୁଖରେ ବିକ୍ଷୋଭ କରି ଚର୍ଚ୍ଚାରେ ଥିଲେ ଟ୍ରମ୍ପ୍ ।