ସିଗ୍ନାଲ ଆପରେ ଚାଟିଂ କରି ହୁତି ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଯୋଜନାକୁ ଭୁଲରେ ସାମ୍ବାଦିକଙ୍କୁ ଦେଲେ ଆମେରିକା ପ୍ରତିରକ୍ଷା ସଚିବ

ନନ୍ଦିଘୋଷ ବ୍ୟୁରୋ: ସୁରକ୍ଷାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ମସ୍ତବଡ଼ ଭୁଲ । ଟ୍ରମ୍ପଙ୍କ ପ୍ରଶାସନର ଶୀର୍ଷ ନେତୃତ୍ବ ହୁତିଙ୍କ ଉପରେ ହେବାକୁ ଥିବା ପ୍ଲାନକୁ ଲିକ୍ କରିଦେଲେ । ଆମେରିକାର ଆକ୍ରମଣ ପୂର୍ବରୁ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ ଜଣେ ସାମ୍ବାଦିକଙ୍କୁ ଯୁଦ୍ଧର ପୂରା ପ୍ଲାନ କହି ଦେଇଥିଲେ । ଆଟଲାଣ୍ଟିକର ମୁଖ୍ୟ ସମ୍ପାଦକ ଜେଫରୀ ଗୋଲ୍ଡବର୍ଗ ଏମିତି ଦାବି କରିଛନ୍ତି । ନିଜ ଆଉଟଲେଟରେ ଗୋଲ୍ଡବର୍ଗ ଉଲ୍ଲେଖ କରିଛନ୍ତି ଦୁଇ ଘଣ୍ଟା ପୂର୍ବରୁ ଆକ୍ରମଣ ହେବାକୁ ଯାଉଥିବା ସେ ଜାଣି ସାରିଥିଲେ । ତେବେ ଟ୍ରମ୍ପ ପ୍ରଶାସନର ଅଧିକାରୀ ଏକ ଚାଟ୍ ଗ୍ରୁପରେ ହୁତିଙ୍କ ଉପରେ ଆକ୍ରମଣ ଯୋଜନା ଉପରେ ଆଲୋଚନା କରୁଥିଲେ । ଏହି ଚାଟ୍ ଗ୍ରୁପରେ ଆଟଲାଣ୍ଟିକ ସମ୍ପାଦକ ବି ଥିଲେ ।
ସୂଚନାଯୋଗ୍ୟ, ଟ୍ରମ୍ପ ପ୍ରଶାସନର ଅଧିକାରୀମାନେ ସିଗ୍ନାଲ ଆପରେ ଚାଟ କରୁଥିଲେ । ହେଲେ ଏହି ଆପରେ ସମ୍ବେଦନଶୀଳ ଘଟଣା ଉପରେ ଆଲୋଚନା କରିବାକୁ ଆମେରିକା ସରକାର ଅନୁମତି ଦେଇନାହାନ୍ତି । ସାମ୍ବାଦିକ ଗୋଲ୍ଡବର୍ଗ ଦାବି କରିଛନ୍ତି, ହୁତିଙ୍କ ଉପରେ ଆକ୍ରମଣ ତଥ୍ୟ ସେ ସିଧାସଳଖ ପିଟ ହେଗସେଥଙ୍କ ପାଖରୁ ପାଇଛନ୍ତି । ଏହି ଗ୍ରୁପରେ ଆଲୋଚନା ବେଳେ ଉପରାଷ୍ଟ୍ରପତି ଜେଡି ଭେନ୍ସ, ବୈଦେଶିକ ମନ୍ତ୍ରୀ ମାର୍କ ରୁବିୟୋ, ନ୍ୟାସନାଲ ଇଣ୍ଟେଲିଜେନ୍ସି ନିର୍ଦ୍ଦେଶକ ତୁଲଗି ଗବାର୍ଡ ସାମିଲ ଥିଲେ । ଚାଟରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରମ୍ପଙ୍କ ପରାମର୍ଶଦାତା ଷ୍ଟିଫନ ମିଲର, ଚିଫ୍ ଅଫ୍ ଷ୍ଟାଫ୍ ସୁଶୀ ଓ୍ବେଲ୍ସ ଏବଂ ଷ୍ଟିବ ଓ୍ବେଟକୋଫ୍ ମଧ୍ୟ ଥିଲେ ।
ଗୋଲ୍ଡବର୍ଗ କହିଛନ୍ତି, ହୁତିଙ୍କ ଉପରେ ଆକ୍ରମଣ ସୂଚନା ମୁଁ ସିଗ୍ନାଲ ଆପରୁ ପାଇଥିଲି । ଏହା ଏକ ଓପନ ସୋର୍ସ ଇନକ୍ରିପଟେଡ ମେସେଜିଂ ସେବା । ମୋତେ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ ବାଲଟେଜଙ୍କ ପାଖରୁ ଜଏନ କରିବାକୁ ଅନୁରୋଧ ଆସିଥିଲା । ପରେ ତାଙ୍କୁ ହୁତି ପିସି ସ୍ମାଲ ଗ୍ରୁପ୍ ଭାବେ ଜଣାଶୁଣା ମେସେଜ ସେବା ଉପରେ ଏକ ଗ୍ରୁପ ଚାଟରେ ସାମିଲ ହେବାକୁ ନୋଟିସ୍ ମିଳିଥିଲା ।
ଟ୍ରମ୍ପ ପ୍ରଶାସନର ଏପରି ଭୁଲକୁ ନେଇ ଆମେରିକାରେ ରାଜନୀତି ସରଗରମ ହେବାରେ ଲାଗିଛି । ଡେମୋକ୍ରେଟିକ ସାଂସଦ ଏହାକୁ ନିନ୍ଦା କରିବା ସହ ଏହା ଆମେରିକାର ସୁରକ୍ଷା ଓ ଆଇନର ଉଲ୍ଲଂଘନ ବୋଲି କହିବା ସହ ଏହାର ତଦନ୍ତ ପାଇଁ କଂଗ୍ରେସରେ ଦାବି କରିଛନ୍ତି ।
ଗୋଲ୍ଡବର୍ଗ ଉକ୍ତ ଗ୍ରୁପରେ ଥିବାକୁ ନେଇ କେହି ଧ୍ୟାନ ଦେଇ ନଥିଲେ । ସେ କହିଛନ୍ତି, ଚାଟ ଅନୁସାରେ ଅପରାହ୍ନ ଗୋଟାଏ ୪୫ରେ (ଆମେରିକୀୟ ସମୟ) ହୁତିଙ୍କ ଉପରେ ଆକ୍ରମଣ ହେବ । ଏହାକୁ ଯାଞ୍ଚ କରିବାକୁ ୧୦ ମିନିଟ ପରେ ଏକ୍ସକୁ ଯାଇ ଦେଖିଲି ୟମନ ରାଜଧାନୀ ସନାରେ ବିସ୍ଫୋରଣ ଖବର ପାଇଲି । ଏହାପରେ ମୁଁ ଚାଟଗ୍ରୁପକୁରେ ପୁଣି ଜଏନ କରିଥିଲି । ଆଉ ସେଠାରେ ହୁତିଙ୍କ ଉପରେ ଆକ୍ରମଣକୁ ନେଇ ପରସ୍ପରଙ୍କୁ ଅଭିନନ୍ଦନ ଜଣାଯାଉଥିଲା ।