୧୨ଟି ଦେଶର ଲୋକଙ୍କୁ ଆମେରିକାରେ ପ୍ରବେଶ ମନା, ରୋକ ଲଗାଇଲେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ଏବେ ଏହି ଦେଶର ଲୋକେ ଯାଇପାରିବେନି ଆମେରିକା । ୧୨ଟି ଦେଶର ଲୋକଙ୍କୁ ଆମେରିକାରେ ପ୍ରବେଶ ନିଷିଦ୍ଧ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଘୋଷଣାନାମା ସ୍ୱାକ୍ଷର କରିଛନ୍ତି, ଯାହା ଅନୁଯାୟୀ ସେ ୧୨ଟି ଦେଶର ନାଗରିକଙ୍କୁ ଆମେରିକାରେ ପ୍ରବେଶ ପାଇଁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି । ଏହା ସହିତ ଅନ୍ୟ ୭ଟି ଦେଶର ଲୋକଙ୍କ ଉପରେ ଆଂଶିକ କଟକଣା ଲାଗୁ କରାଯାଇଛି । ଆମେରିକାର ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନେଇଛନ୍ତି ଟ୍ରମ୍ପ ।

ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ. ମିଆଁମାର, ଚାଡ୍, କାଙ୍ଗୋ, ଇକ୍ୱାଟୋରିଆଲ୍ ଗିନୀ, ଏରିଟ୍ରିଆ, ହୌତୀ, ଇରାନ, ଲିବିଆ, ସୋମାଲିଆ, ସୁଡାନ ଏବଂ ୟମନ ଆଦି ଦେଶ ଉପରେ ପବେଶ ନିଷେଧ କରିଛି ଆମେରିକା । ଏବେ ଏହି ଦେଶଗୁଡିକର ନାଗରିକମାନେ ଆମେରିକାରେ ପ୍ରବେଶ କରିପାରିବେ ନାହିଁ ।  ଏହି ନିଷେଧ ମୋମବାର ରାତି୧୨ଟାରୁ କାର୍ଯ୍ୟକାରୀ ହେବ । ଏହା ପ୍ରଥମଥର ନୁହେଁ ଯେ, ଡୋନାଲ୍ଡ ଟ୍ରମ୍ପ ଏପରି ନୀତି ଗ୍ରହଣ କରିଛନ୍ତି । ତାଙ୍କର ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ସେ ୭ଟି ମୁସଲିମ ବହୁଳ ଦେଶକୁ ଯାତ୍ରା ଉପରେ ପ୍ରତିବନ୍ଧ ଲଗାଇଥିଲେ ।

ଟ୍ରମ୍ପ କାହିଁକି ନେଲେ ଏହି ନିଷ୍ପତ୍ତି ?

ଟ୍ରମ୍ପ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଆମେରିକାର ଜାତୀୟ ସୁରକ୍ଷା ଏବଂ ନାଗରିକଙ୍କ ସ୍ୱାର୍ଥ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଏପରି ପଦକ୍ଷେପ ନେଇଛନ୍ତି । ସେ କହିଛନ୍ତି ଯେ, ଆମେ ପୁଣି ଥରେ ଯାତ୍ରାରେ ପ୍ରତିବନ୍ଧକ ଲାଗୁ କରିବୁ,ଯାହାକୁ କିଛି ଲୋକ ‘ଟ୍ରମ୍ପ ଟ୍ରାଭେଲ୍ ବ୍ୟାନ୍’ ବୋଲି କୁହନ୍ତି । କାରଣ କଟ୍ଟରପନ୍ଥୀ ଇସଲାମିକ ଆତଙ୍କବାଦୀମାନଙ୍କୁ ଦେଶରେ ପ୍ରବେଶ ରୋକା ଯାଇପାରିବ ।