ପଶ୍ଚିମ ଏସିଆରେ ଶାନ୍ତି ନେଇ ପଥ ହେଉଛି ପରିଷ୍କାର। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନଙ୍କ ମଧ୍ୟରେ ଯୁଦ୍ଧର ଅନ୍ତ ଲାଗି ହୋଇଛି ଚୁକ୍ତି। ଡିଜିଟାଲ ଜରିଆରେ ଉଭୟ ନେତା ବୁଝାମଣା ଚୁକ୍ତିରେ କରିଛନ୍ତି ସ୍ବାକ୍ଷର। ଇରାନ ଉପରେ ଲାଗୁ କଟକଣା ହଟାଇବା, ଇରାନର ତେଳ ରପ୍ତାନିକୁ ସ୍ବାଭାବିକ କରିବା, ୬୦ ଦିନିଆ ଫ୍ରେମୱର୍କର କ୍ଷେତ୍ର ପ୍ରସ୍ତୁତ କରିବା ଲାଗି ଚୁକ୍ତିରେ ବ୍ୟବସ୍ଥା ରହିଛି। ପୂର୍ବରୁ ଏହି MOU ଲାଗି ଡିଜିଟାଲରେ ସ୍ବାକ୍ଷର ପ୍ରଦାନ କରିଥିଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଇରାନର ମୁଖ୍ୟ ମଧ୍ୟସ୍ଥି ମହମ୍ମଦ ବାଗେର କଲିବାଫ। ଭର୍ସାଲିସ ପ୍ୟାଲେସରେ ଟ୍ରମ୍ପ ଆମେରିକା-ଇରାନ ମଧ୍ୟରେ ହୋଇଥିବା ବୁଝାମଣାର ଏକ ହାର୍ଡ କପିରେ ସ୍ବାକ୍ଷର ପ୍ରଦାନ କରିଥିଲେ। ଚୁକ୍ତି ସ୍ବାକ୍ଷରିତ ହେବା ମାତ୍ରେ ଏହା କାର୍ଯ୍ୟକାରୀ ହୋଇଛି। ଏହି ଚୁକ୍ତି ଫଳରେ ଦୀର୍ଘ ୪ ମାସ ଧରି ଚାଲିଆସିଥିବା ବିବାଦର ଅନ୍ତଘଟିଛି। ଏହା ସହ ହର୍ମୁଜ ପ୍ରଣାଳୀ ଖୋଲିବା ଲାଗି ସମସ୍ତ ପ୍ରତିବନ୍ଧକ ଦୂର ହୋଇଛି। ସେପଟେ ଜେନେଭାରେ ଆଉ ବିଧିବଦ୍ଧ ଚୁକ୍ତି ହେବ ନାହିଁ ବୋଲି ସୂଚନା ମିଳିଛି। ଇରାନ ପକ୍ଷରୁ କୁହାଯାଇଛି ଜେନେଭାରେ ଚୁକ୍ତି ସ୍ବାକ୍ଷରିତ ହେବ ନାହିଁ।
ଆମେରିକା ଓ ଇରାନ ମଧ୍ୟରେ ସ୍ବାକ୍ଷରିତ ହୋଇଛି ଡିଲ। କଳ୍ପନାଜଳ୍ପନାର ହୋଇଛି ଅବସାନ। ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଛି ୧୪ ସୂତ୍ରୀ ଡିଲ୍। ଏହି ୧୪ଟି ପ୍ରସ୍ତାବଗୁଡ଼ିକ ହେଲା-
ଇରାନ-ଆମେରିକା ତୁରନ୍ତ ଶତ୍ରୁତା ଆଚରଣ ବନ୍ଦ
ପରସ୍ପରର ସାର୍ବଭୌମତ୍ବକୁ ଉଭୟ ରାଷ୍ଟ୍ର ସମ୍ମାନ ଜଣାଇବେ
ଆମେରିକା ନୌସେନା ଅବରୋଧ ହଟାଇବ
ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ଖୋଲିବ
ଇରାନ ଲାଗି ୩୦୦ ବିଲିୟନ ଡଲାରର ପୁନଃନିର୍ମାଣ ଯୋଜନା
ଇରାନ ବିରୋଧରେ କଟକଣା ହଟିବ
ଇରାନ ଆଣବିକ ଅସ୍ତ୍ର ନିର୍ମାଣ କରିବ ନାହିଁ
ସମୃଦ୍ଧ ୟୁରାନିୟମକୁ ନଷ୍ଟ ନ କରି ନିଷ୍କ୍ରିୟ କରାଯିବ
ପରବର୍ତ୍ତୀ ୬୦ ଦିନ ଯାଏ ଆକ୍ରମଣ-ପ୍ରତିଆକ୍ରମଣ କରାଯିବ ନାହିଁ
ଇରାନ ତୈଳ ରପ୍ତାନି କରିପାରିବ
ଜବତ ହୋଇଥିବା ଇରାନ ସମ୍ପଦକୁ ରିଲିଜ କରାଯିବ
ଏକ ଯୁଗ୍ମ ମନିଟରିଂ କମିଟି ଗଠନ କରାଯିବ
ବର୍ତ୍ତମାନ ଲାଗି କିଛି ପ୍ରସଙ୍ଗର ହେବ ସମାଧାନ
ଚୂଡ଼ାନ୍ତ ଚୁକ୍ତିକୁ ଜାତିସଂଘ ଜରିଆରେ ଅନୁମୋଦନ କରାଯିବ

