କାନାଡ଼ାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କଲେ ଜଷ୍ଟିନ ଟ୍ରୁଡୁ
ନନ୍ଦିଘୋଷ ବ୍ୟୁରୋ: କାନାଡ଼ାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଜଷ୍ଟିନ ଟ୍ରୁଡୁ। ଏହା ସହିତ ଲିବେରାଲ ପାର୍ଟି ନେତା ପଦରୁ ବି ଇସ୍ତଫା ଦେଇଛନ୍ତି। ୯ ବର୍ଷ କାଳ ପ୍ରଧାନମନ୍ତ୍ରୀ ପଦରେ ରହିବା ପରେ ଆଜି ସେ ଇସ୍ତଫା ଘୋଷଣା କରିଛନ୍ତି। ଜଷ୍ଟିନ କହିଛନ୍ତି, ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେବା ପର୍ଯ୍ୟନ୍ତ ସେ ପଦରେ ରହିବେ। ନୂଆ ନେତା ଖୋଜିବାକୁ ଦଳର ମୁଖ୍ୟଙ୍କୁ ଅନୁରୋଧ କରିଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଶେଷ କରି ଅର୍ଥନୀତିକୁ ନେଇ ନିଜ ଦଳ ଭିତରୁ ହିଁ ଚାପର ସମ୍ମୁଖୀନ ହୋଇଥିଲେ ଜଷ୍ଟିନ। ଦରଦାମ୍ ବୃଦ୍ଧି ଓ କାନାଡ଼ାକୁ ବାହାର ଦେଶର ଲୋକଙ୍କ ଅଧିକ ଆଗମନକୁ ନେଇ ବଦନାମ୍ ହୋଇଥିଲେ ଜଷ୍ଟିନ୍। ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ଦଳ ଭିତରୁ ହିଁ ବିଦ୍ରୋହ ହୋଇଥିଲା। ଏପରିକି କିଛି ବଡ଼ ବଡ଼ ମନ୍ତ୍ରୀ ତାଙ୍କୁ ବିରୋଧ କରି ଇସ୍ତଫା ଦେଇଥିଲେ।
ଏହା ପରେ ପଦ ଛାଡ଼ିବାକୁ ଜଷ୍ଟିନଙ୍କ ଉପରେ ବହୁତ ଚାପ ପଡ଼ିଥିଲା। ଆସନ୍ତା ଅକ୍ଟୋବରରେ କାନାଡ଼ାରେ ନିର୍ବାଚନ ହେବ। ଜଷ୍ଟିନଙ୍କ ପାଇଁ ତାଙ୍କ ସରକାର ଓ ଦଳର ଲୋକପ୍ରିୟତା କମିଥିବା, ଏପରିକି ଆସନ୍ତା ନିର୍ବାଚନରେ ତାଙ୍କ ଦଳ ହାରିବାର ଆଶଙ୍କା ଥିବା କୁହାଯାଉଛି। ଏହି କାରଣରୁ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଜଷ୍ଟିନ। ତେବେ କାନାଡ଼ାବାସୀଙ୍କ ଧ୍ଯାନ ହଟାଇବାକୁ ସେ ଭାରତ ସହିତ କୂଟନୈତିକ ବିବାଦ ସୃଷ୍ଟି କରିଥିଲେ। ଏପରିକି ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଖୋଲାଖୋଲି ସମର୍ଥନ କରିଥିଲେ। ଏହାକୁ ନେଇ କାନାଡ଼ା ଓ ଭାରତ ମଧ୍ୟରେ ବଡ଼ ବିବାଦ ଦେଖା ଦେଇଥିଲା। କିଛି ମାସ ତଳେ ପରସ୍ପରର କୂଟନୈତିକଙ୍କୁ ଦୁଇ ଦେଶ ବହିଷ୍କାର କରିବା ଭଳି ସ୍ଥିତି ଦେଖା ଦେଇଥିଲା। ଶେଷରେ ନିଜ ଦଳର ଚାପ ଯୋଗୁଁ ଇସ୍ତଫା ଦେବାକୁ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୁ।