କଲେଜରୁ ଫେରୁଥିବା ବେଳେ ମାଡ଼ିଗଲା ଟ୍ରକ୍, ୨ ଛାତ୍ରୀଙ୍କର ମୃତ୍ୟୁ

ବରଗଡ଼: ବରଗଡ଼ ଲରମ୍ଭା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାଦୋବାହାଲ କଲେଜରୁ ଫେରୁଥିବା ସମୟରେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ଦୁର୍ଘଟଣାରେ ୨ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୃତଛାତ୍ରୀ ହେଲେ ଅନୁପମା ମଲ୍ଲିକ ଓ ଜୟଶ୍ରୀ ରଣା । ଗୁରୁତର ଛାତ୍ରୀ ପ୍ରିୟା ମଞ୍ଜରୀ ପଣ୍ଡା । ସମସ୍ତ ଛାତ୍ରୀ ଯୁକ୍ତ ଦୁଇରେ ପାଠ ପଢୁଥିଲେ । ମଧ୍ୟାହ୍ନରେ କ୍ଲାସ ସାରି ଘରକୁ ଫେରିବାବେଳେ ସମସ୍ତଙ୍କ ଉପରେ ଟ୍ରକ ମାଡ଼ିଯାଇଥିଲା । ଘଟଣାସ୍ଥଳରୁ ୩ ଜଣଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକ । ଚିକିତ୍ସାଧୀନ ଅବସ୍ଥାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।