spot_img

Latest Posts

ଚଣ୍ଡିଖୋଲରେ ନିକଟରେ ଟ୍ରକ ମାଲିକ ସଂଘର ଧାରଣା, ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ ସ୍ପେଶାଲ ଲୋଡିଂ ବ୍ୟବସ୍ଥାକୁ ବନ୍ଦ ଦାବି

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣି ଖଣି ଅଞ୍ଚଳରୁ ଟ୍ରକ ଯୋଗେ କ୍ରୋମାଇଟ ପରିବହନକୁ ନେଇ ଦେଖାଦେଇଛି ବିବାଦ। ମୁହାଁମୁହିଁ ହୋଇଛନ୍ତି ଟ୍ରକ୍ ମାଲିକ ସଂଘ । ସୃଷ୍ଟି ହୋଇଛି ଅଶାନ୍ତିର ବାତାବରଣ । ରୋଜଗାର ହରାଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଟ୍ରକ ମାଲିକ। ଚାଲିଛି ଜୋରଦାର ଆନ୍ଦୋଳନ। ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମକୁ ଅବମାନନା କରିବା ସହ ଟ୍ରକ ଲୋଡିଂରେ ଅନିୟମିତତା ଅଭିଯୋଗରେ ବିଭିନ୍ନ ଟ୍ରକ ମାଲିକ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । କ୍ରୋମାଇଟ ବୋଝେଇ କରି ଆସୁଥିବା ଟ୍ରକ ଗୁଡିକୁ ଯାଜପୁର ରୋଡ ଓ ଚଣ୍ଡିଖୋଲ ନିକଟରେ ରଖି ୪ଟି ଟ୍ରକ ମାଲିକ ସଂଘ ଧାରଣାରେ ବସିଛନ୍ତି । କାଳିଆପାଣି ଖଣି ଅଞ୍ଚଳରେ ସୁବ୍ୟବସ୍ଥିତ ଢଙ୍ଗରେ କ୍ରୋମାଇଟ ପରିବହନ ପାଇଁ ବହୁ ପୂର୍ବରୁ ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମ ଲାଗୁ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ପରେ ବିଭିନ୍ନ ଟ୍ରକ୍ ମାଲିକ ସଂଘର ମିଳିତ ନିଷ୍ପତି କ୍ରମେ ପାର୍କିଂ ବ୍ୟବସ୍ଥା କରାଯାଇ ଏହି ନିୟମରେ ଟ୍ରକ ଲୋଡିଂ କରାଯାଉଥିଲା। ହେଲେ ଗତ ୨୦୨୪ ଅକ୍ଟୋବର ମାସରୁ ଏହାକୁ ଖୋଲାଖୋଲି ଉଲଂଘନ କରାଯାଉଛି। ସ୍ଥାନୀୟ ଅଞ୍ଚଳର କିଛି ମୁଷ୍ଟିମେୟ ଟ୍ରକ୍ ମାଲିକ ଓ ସୁକିନ୍ଦା ମିନେରାଲ ଟ୍ରକ୍ ମାଲିକ ସଂଘର ସଦସ୍ୟମାନେ ଜୋର ଜବରଦସ୍ତ ସେମାନଙ୍କ ଟ୍ରକ୍ ଲୋଡିଂ କରାଉଥିବା ବେଳେ ଜିଲ୍ଲାର ଅନ୍ୟ ଅଞ୍ଚଳରୁ ଆସୁଥିବା ଟ୍ରକ୍ ଗୁଡ଼ିକୁ ଲୋଡିଂ ଦିଆଯାଉନାହିଁ। ଫଳରେ ଟ୍ରକ୍ ମାଲିକମାନେ କ୍ଷତି ସହିବା ସହ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ବାଧ୍ୟହୋଇ ଗତକାଲି ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୪ଟି ଟ୍ରକ୍ ମାଲିକ ସଂଘ ।

ଖଣି ଉପନିର୍ଦ୍ଦେଶକ ଓ ପ୍ରଶାସନର ଗୋଚରରେ ଏସବୁ ହେଉଥିବା ଟ୍ରକ ମାଲିକ ମାନେ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଏସବୁ ସମସ୍ୟାର ସମାଧାନ କରା ନଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଟ୍ରକ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସେପଟେ ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି । ସେମାନେ ଖଣି ଓ କାରଖାନା ଦ୍ୱାରା ପ୍ରଭାବିତ ହେଉଥିବାରୁ ସେମାନଙ୍କ ଗାଡିକୁ ଅଗ୍ରାଧିକାର ଭିତ୍ତିରେ ଲୋଡିଂ ଦିଆଯିବା ଦରକାର ବୋଲି ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା କହିଛନ୍ତି । ଅନ୍ୟପଟେ ଏନେଇ ଜିଲ୍ଲା ପ୍ରଶାସନ ବା ଖଣି ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସମସ୍ଯା ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି ।

Latest Posts

Don't Miss