ରାସ୍ତା କଡ଼ରୁ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଉଠାଇ ନେଇଥିବା ଟ୍ରକ ଡ୍ରାଇଭର ଗିରଫ

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଚରମ୍ପାରୁ ବିଳମ୍ବିତ ରାତିରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଟ୍ରକ ଡ୍ରାଇଭର ଉଠାଇ ନେବା ଘଟଣାରେ ପୋଲିସକୁ ସଫଳତା । ଅଭିଯୁକ୍ତ ଡ୍ରାଇଭରକୁ କେନ୍ଦୁଝର ଝୁମ୍ପୁରାରୁ ଗିରଫ କରିବା ସହ ଭଦ୍ରକ ବନ୍ତ ରାସ୍ତା ରାନ୍ଦିଆ ରାସ୍ତା କଡ଼ରୁ ମହିଳାଙ୍କୁ ଉଦ୍ଧାର କରିଛି ଭଦ୍ରକ ପୋଲିସ । ଅଭିଯୁକ୍ତ ବିହାର ଅଞ୍ଚଳରୁ ଆସି ଝୁମ୍ପୁରାରେ ରହୁଥିବା ଏମ.ଡି. ସଦ୍ଦାମହୁସେନ ଗିରଫ ପରେ ପୋଲିସ ଆଗରେ ଉଗାରିଛି ସତ ।

ଟ୍ରକ ଡ୍ରାଇଭରର ଜଘନ୍ଯ କାଣ୍ଡ । ରାସ୍ତାକଡ଼ରୁ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଉଠାଇ ନେଇ ଦୁଷ୍କର୍ମ ଅଭିଯୋଗ । ରାସ୍ତା କଡ଼ରେ ଛାଡ଼ିଦେଇ ଫେରାର । ଅଭିଯୁକ୍ତକୁ ଖୋଜି ଖୋଜି ବାନ୍ଧିଲା ପୋଲିସ । ଗିରଫ ପରେ ପୋଲିସ ଆଗରେ ଉଗାରିଲା ଛାତିଥରା ସତ । ୨ ତାରିଖ ରାତି ପ୍ରାୟ ୧୨ଟା ୫୦ । ଭଦ୍ରକ ଚରମ୍ପାରେ ମହିଳା ଜଣଙ୍କ ରାତିରେ ବର୍ଷା ଦାଉରୁ ରକ୍ଷା ପାଇଇବାକୁ ରାସ୍ତା କଡ଼ରେ ଠିଆ ହୋଇଥିଲେ । ଏତିକିବେଳେ ଏକ ଟ୍ରକ ଡ୍ରାଇଭର ତାଙ୍କୁ ଟେକିନେଇ ଫେରାର ହୋଇଯାଇଥିଲା । ସିସିଟିଭିରେ ଏହାର ଦୃଶ୍ଯ କଏଦ ହେବା ପରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ଆକ୍ଟିଭ ହୋଇଥିଲା ଭଦ୍ରକ ପୋଲିସ । ଯାଞ୍ଚ ପରେ ଅଭିଯୁକ୍ତ ଡ୍ରାଇଭର ଏମ.ଡି. ସଦ୍ଦାମହୁସେନକୁ କେନ୍ଦୁଝର ଝୁମ୍ପୁରାରୁ ଗିରଫ କରିବା ସହ ଟ୍ରକକୁ ଜବତ କରିଛି ପୋଲିସ । ଅନ୍ଯପଟେ ଏପରି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

ମହିଳାଙ୍କୁ ଉଠାଇ ନେବା ପରେ ରାନ୍ଦିଆ ନିକଟରେ ଛାଡି ପଳାଇଥିଲା ଅଭିଯୁକ୍ତ । ପୋଲିସ ମହିଳାଙ୍କୁ ଉଦ୍ଧାର କରି ଉଭୟଙ୍କ ଡାକ୍ତରୀ ପରୀକ୍ଷା କରିଛି । ଟ୍ରକକୁ ଜବତ କରିବା ସହିତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । ମାନସିକ ବିକାରଗ୍ରସ୍ତ ମହିଳାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି । ତେବେ ସେ ଘଟଣାକୁ ନେଇ ସ୍ପଷ୍ଟ ଭାବେ କହିପାରୁ ନଥିବାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି ବୋଲି କହିଛନ୍ତି ଭଦ୍ରକ ଆଡିସନାଲ ଏସପି । ଘଟଣାକୁ ନିନ୍ଦା କରାଯିବା ସହ ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।