ବାଟରେ ଜଗିଥିଲା କାଳରୂପୀ ଟ୍ରକ୍, ସ୍କୁଲରୁ ଫେରିଲାନି ନନ୍ଦିନୀ..

1 min read

ନିମାପଡ଼ା: ସବୁଦିନ ପରି ଆଜି ବି ସ୍କୁଲ ବାହାରିଯାଇଥିଲା ନନ୍ଦିନୀ । ନବମରୁ ଦଶମକୁ ଏଇ ନିକଟରେ ଉତ୍ତୀର୍ଣ୍ଣ ହୋଇଛି । ଆଖିରେ ଆଖିଏ ସ୍ୱପ୍ନ, ଅଭିଳାଷାର ଅଳନ୍ଧି ଭିତରେ ସାଇକେଲ ଧରି ବାହାରି ପଡିଥିଲା । ସାଙ୍ଗସାଥିଙ୍କ ଗହଣରେ ଖେଳିଥିଲା  । କ୍ଲାସରେ ପଢିଥିଲା । ଆଉ ଯେତେବେଳେ ଘଣ୍ଟାକଣ୍ଟା ବାଜିଥିଲା, ବସ୍ତାନୀ ଧରି ଘରକୁ ଛୁଟିଥିଲା  । ସେପଟେ ସକାଳୁ ସ୍କୁଲକୁ ଯାଇଥିବା ଝିଅର ଫେରିବା ବାଟକୁ ଚାହିଁରହିଥିଲେ ପରିବାର ଲୋକ  । କିନ୍ତୁ ବିଧାତାର ବିଧାନ କିଛି ଅଲଗା ଥିଲା  । କିଏ ଜାଣିଥିଲା ଝିଅ ଆଉ ଫେରିବନି ବୋଲି ? ଖୁସି ମିଜାଜର ନନ୍ଦିନୀ ଯେ, ଆଜି ସ୍କୁଲରୁ ଆଉ ଫେରିବନି ଏ କଥା କାହାକୁ ଜଣା ନଥିଲା  । କାଳର କରାଳ ଗତି କେଇଟି ଘଣ୍ଟା ଭିତରେ ସବୁ କିଛି ଓଲଟପାଲଟ କରିଦେଲା  ।

ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ନିମାପଡ଼ା ଥାନା ଡେଣୁଅଁବସ୍ତ ଗ୍ରାମରେ । ଡେଣୁଅଁବସ୍ତ ଗ୍ରାମର ଆର୍ତ୍ତତ୍ରାଣ ବେହେରାଙ୍କ ଝିଅ ନନ୍ଦିନୀ ବେହେରା ସ୍ଥାନୀୟ ଡେଣୁଅଁ ହାଇସ୍କୁଲରେ ପାଠପଢୁଥିଲେ । ସ୍କୁଲ ଖୋଲିବା ପରେ ପ୍ରତିଦିନ ନନ୍ଦିନୀ ସକାଳୁ ସାଇକେଲ ଧରି ସ୍କୁଲ ଧାଇଁଯାଏ  । ଆଜି ମଧ୍ୟ ସକାଳୁ ନିତ୍ୟକର୍ମ ସାରି ସ୍କୁଲ ବାହାରି ବାହାରିପଡିଥିଲା ନନ୍ଦିନୀ  । କିନ୍ତୁ ଫେରିବା ବାଟରେ ଜଗିରହିଥିଲା କାଳରୂପୀ ଟ୍ରକ । ନନ୍ଦିନୀ ଘରକୁ ଫେରୁଥିବାବେଳେ ନିମାପଡ଼ା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା  । ଫଳରେ ନନ୍ଦିନୀ ଚେତାଶୂନ୍ୟ ହୋଇପଡିଥିଲା  ।

ସ୍ଥାନୀୟ  ଲୋକ ନନ୍ଦିନୀକୁ ଗୁରୁତର ଭାବେ ଉଦ୍ଧାର କରି ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରିଥିଲେ  । କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ଭୁବନେଶ୍ୱର ସ୍ଥାନାନ୍ତର କରିଦେଇଥିଲେ  । ସେପଟେ  କ୍ୟାପିଟାଲ ହସ୍ପିଟାଲରେ ନନ୍ଦିନୀଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି  । ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଦେଇଛି  । ସଭିଙ୍କ ଆଗରେ ନାଚି ଖେଳିଥିବା ଚୁଲବୁଲି ନନ୍ଦିନୀର ମୃତ୍ୟୁ ଖବରକୁ ଗ୍ରହଣ କରିପାରୁନାହାଁନ୍ତି ଗ୍ରାମବାସୀ  । ୧୫ ବର୍ଷ ବସୟର ଝିଅର ବିୟୋଗରେ ଭାଙ୍ଗି ପଡିଛନ୍ତି ବାପା-ମାଆ  । ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି  । ପ୍ରତିବାଦରେ  ସ୍ଥାନୀୟ ଲୋକେ ନିମାପଡ଼ା-ବନମାଳିପୁର ରାସ୍ତାକୁ ବନ୍ଦ କରିବା ସହ କ୍ଷତି ପୂରଣ ଦାବି କରିଛନ୍ତି  । ପ୍ରଶାସନ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି  ।