ରାଜଧାନୀର ବିଭିନ୍ନ ମସଜିଦରେ ଉଡ଼ିଲା ତ୍ରିରଙ୍ଗା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବିଭିନ୍ନ ମସଜିଦରେ ଉଡିଛି ତ୍ରିରଙ୍ଗା  । ୟୁନିଟ ୩ ସୁନି ଜମା ମସଜିଦରେ ୭୭ ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି  । ମସଜିଦ ମୁରବି ଦାଉଦୁର ରହେମାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ବର ଜିଲ୍ଲା ବିଜେଡି ଉପସଭାପତି ମୁସରାଫ ଖାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ  । ଏହି ଅବସରରେ ବସ୍ତିରେ ରହୁଥିବା ଲୋକଙ୍କୁ ଡେଙ୍ଗୁ ସଚେତନତା ବାର୍ତ୍ତା ଦିଆଯାଇଥିଲା  ।  ସେହିପରି ଭରତପୁର ମସଜିଦରେ ବିଜେଡି ସାଧାରଣ ସମ୍ପାଦକ ସେକ ଦିଲଦାର ମହମ୍ମଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ  । ଆଇନଜୀବୀ ହାସନ ଖାଁ,ସମାଜସେବୀ ଏମଡି ସଦୃଲ୍ଲା, ଏମାର ଖାଁ, ସେକ କଲିମ ପ୍ରମୁଖ ଉପସ୍ଥିତ ରହି ଡେଙ୍ଗୁ ବିରୋଧରେ ଲୋକଙ୍କୁ ସଚେତନ କରିଥିଲେ  । ଅନ୍ୟପଟେ ଝାରପଡା ମାଦ୍ରାସା, ୟୁନିଟ ଫୋର୍ କ୍ୟାପିଟାଲ ମସଜିଦ, ସୈନିକ ସ୍କୁଲ ଗୌଶିଆ ମସଜିଦ ଓ ଶିଖରଚଣ୍ଡୀଠାରେ ମସଜିଦ ମୁଖ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ  ।