ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତରେ ରାଜ୍ୟ IPS ସଂଘର ଶ୍ରଦ୍ଧାଞ୍ଜଳୀ, ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଶୋକ ସଭା

ଭୁବନେଶ୍ୱର: ଭାରତୀୟ ପୋଲିସ ସେବାର ବରିଷ୍ଠ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ୍. ସଂଘର ସଭ୍ୟ ସଭ୍ୟାମାନେ ଗଭୀର ମର୍ମାହତ ହୋଇଛନ୍ତି  । ଅପରାହ୍ନରେ ଡିଜିପି କ୍ୟାମ୍ପ ଅଫିସଠାରେ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଏକ ଶୋକ ସଭା ଆୟୋଜନ କରାଯାଇ ସ୍ୱର୍ଗତଃ ଡଃ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରାଯାଇଥିଲା  । ଏହି ଅବସରରେ ସ୍ୱର୍ଗତଃ ଡଃ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯିବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା  ।

ସେପଟେ ସଂଘ ତରଫରୁ ସ୍ୱର୍ଗତଃ ଡଃ ପାଣିଗ୍ରାହୀଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା  । ପ୍ରାରମ୍ଭରେ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ସ୍ୱର୍ଗତଃ ଡଃ ପାଣିଗ୍ରାହୀଙ୍କ ଚାକିରି ଜୀବନ ଉପରେ ଆଲୋକପାତ କରିଥିଲେ  । ୧୯୬୫ ମସିହାରେ ବାଲେଶ୍ୱରରେ ଜନ୍ମିତ ଡଃ ପାଣିଗ୍ରାହୀ ଓଡିଶା କ୍ୟାଡରର ଆଇପିଏସ୍‌ ଭାବେ କେନ୍ଦୁଝର, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଭିଜିଲାନ୍ସ ଏସ୍‌ପି, ଭୁବନେଶ୍ୱର କଟକ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ  । ଏପରିକି ଡିଆଇଜି ପୁଲିସ (ପ୍ରଶାସନ), ଆଇଜି ପୁଲିସ (କାର୍ମିକ), ଆଇଜି ପୁଲିସ (ଆଧୁନିକିକରଣ), ଏଡିଜି ପୁଲିସ (କାର୍ମିକ), କଟକ ମୁଖ୍ୟାଳୟ ସହ ଗୃହ ବିଭାଗର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଥିଲେ  ।

ପରେ ସେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଭିଜିଲାନ୍ସ ବିଭାଗରେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇଥିଲେ ୨୦୧୭ ନଭେମ୍ୱର ୧ ତରିଖରେ ସେ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ  ।
ଏହି ସଭାରେ ଆର୍. କେ. ଶର୍ମା, ‌ଆଇ.ପି.ଏସ୍, ନିର୍ଦ୍ଦେଶକ (ଇଣ୍ଟେଲିଜେନ୍ସ୍) ,  ସୌମେନ୍ଦ୍ର ପ୍ରିୟଦର୍ଶୀ, ‌ଆଇ.ପି.ଏସ୍, ପୋଲିସ କମିଶନର, ଅମିତାଭ ଠାକୁର, ‌ଆଇ.ପି.ଏସ୍, ଆଇ. ଜି (ଅପରେସନ୍) ଉପସ୍ଥିତ ଥିଲେ  ।

Leave a Reply