୧୧ରେ କନ୍ଧ ଆଦିବାସୀଙ୍କ ପାରମ୍ପରିକ ଶୁଲିଆ ଯାତ୍ରା

Tribal's Traditional Sulia Jatra In 11th January

ବଲାଙ୍ଗିର: ଚଳିତ ବର୍ଷ କରୋନା କଟକଣା ଭିତରେ ହେବ କନ୍ଧ ଆଦିବାସୀଙ୍କ ପାରମ୍ପରିକ ଶୁଲିଆ ଯାତ୍ରା । ପୁଣି ରକ୍ତରଞ୍ଜିତ ହେବ ଶୁଲିଆ ପୀଠ । ବଲାଙ୍ଗିର ଜିଲ୍ଲା କୁଳିତାପଡ଼ା ପଞ୍ଚାୟତର ଖଇରଗୁଡ଼ା ବଡ଼ଖଳା ଓ କୁମୁରିଆର ସାନଖଳା ଠାରେ ଯାତ୍ରା ଅନୁଷ୍ଠିତ ହେବ । ଆଜି ଶୁଲିଆ ପୀଠ ଠାରେ ଆଞ୍ଚଳିକ ଶୁଲିଆ ଯାତ୍ରା ପୂଜା କମିଟି ତରଫରୁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୁଲିଆ ପୀଠରେ ପଶୁପକ୍ଷୀ ବଳି ପଡ଼ିବ ।

Tribal's Traditional Sulia Jatra In 11th January

ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ବଳି ପଡ଼ିବ । ମାନସିକଧାରୀ ମାନେ ଶୁଲିଆ ପୀଠରେ ବଳି ଚଢ଼ାଇପାରିବେ । ପ୍ରତିବର୍ଷ ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାର ଦିନ ଯାତ୍ରା ଅନୁଷ୍ଠିତ ହୁଏ । ସୁଲିଆ ଯାତ୍ରା ଦିନ ଭୋରରୁ ଆଦିବାସୀ ଦେହୁରୀ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିଥାନ୍ତି । ନିଶିପୂଜା ଓ ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆକୁ ଭୋଗ ଅର୍ପଣ କରିଥାନ୍ତି । ପରେ ମାନସିକଧାରୀ ମାନେ ମାନସିକ ଅନୁସାରେ ଆଣିଥିବା ପୋଢ଼, ବେତା, ମେଣ୍ଢା, କୁକୁଡ଼ା, ବତକ ସହ ଅନ୍ୟ ପକ୍ଷୀ ମାନଙ୍କୁ ବଳି ଦିଆଯାଇଥାଏ ।

ଶୁଲିଆ ଦିନ ଖଇରଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳାରେ ହଜାର ହଜାର ସଂଖ୍ୟାରେ ବଳି ପଡ଼ିଥାଏ । ବଳିପ୍ରଥା ବନ୍ଦ କରିବା ପାଇଁ ପୂର୍ବରୁ କିଛି ସ୍ୱେଚ୍ଛାସେବୀ ସଂଗଠନ ଓ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯାଇଥିଲା । କିଛି ବର୍ଷ ଧରି ଜିଲ୍ଲା ପ୍ରଶାସନ ତରଫରୁ ବଳିପ୍ରଥା ବନ୍ଦ କରିବା ପାଇଁ ୧୪୪ ଧାରା ଜାରି କରାଯାଇଥିଲା । ଆଦିବାସୀଙ୍କ ପରମ୍ପରାରେ କେହି ହସ୍ତକ୍ଷେପ ପରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତା’ପରଠାରୁ ପ୍ରତିବର୍ଷ ଶୁଲିଆ ପୀଠରେ ହଜାର ହଜାର ସଂଖ୍ୟାରେ ପଶୁପକ୍ଷୀ ବଳି ପଡ଼ି ଆସୁଛି ।

Leave a Reply