ଆଦିବାସୀଙ୍କୁ ଦୁଃଖ ଦେଉଛି ମହୁଲ ଫୁଲର ଅଭାବୀ ବିକ୍ରି: ପ୍ରଶାସନିକ ଅବହେଳା ସାଜୁଛି କାଳ

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମୁରିବାହାଲ, ତୁରେକେଲା ଓ ବଙ୍ଗୋମୁଣ୍ଡା ହେଉଛି ଆଦିବାସୀ ବହୁଳ ଅଞ୍ଚଳ । ଏଠାକାର ଲୋକମାନେ ଚାଷ ସମୟ ପରେ ମହୁଲ ଫୁଲ ସଂଗ୍ରହ କରିଥାନ୍ତି । ପ୍ରତିଦିନ ସକାଳୁ ଛୋଟ ଛୋଟ ପିଲାମାନଙ୍କୁ ଧରି ମହିଳା ଓ ପୁରୁଷ ମାନେ ଜଙ୍ଗଲକୁ ଫୁଲ ସଂଗ୍ରହ କରିବାକୁ ଯାଇଥାନ୍ତି । ସଂଗ୍ରହ କରିଥିବା ଫୁଲକୁ ୭ ରୁ ୮ ଦିନ ଖରାରେ ଶୁଖାଇଲା ପରେ ଏହାକୁ ବିକ୍ରି କରିଥାନ୍ତି । କିନ୍ତୁ ଏବର୍ଷ ମହୁଲ ଦର ନିର୍ଦ୍ଦାରିତ ହୋଇ ନଥିବାରୁ ଶୋଷର ଶିକାର ହେଉଛନ୍ତି ମହୁଲ ସଂଗ୍ରହକାରୀ ।
ଦୁଇ ହଜାର ମସିହା ପୂର୍ବରୁ ଲଘୁ ବନଜାତ ଦ୍ରବ୍ୟର ବଜାର ମୂଲ୍ୟ ବେସରକାରୀ ସଂସ୍ଥା ଓ ବ୍ୟକ୍ତି ବିଶେଷ ମିଶି ନିର୍ଦ୍ଧାରିତ କରୁଥିଲେ । ଦୁଇ ହଜାର ମସିହା ମାର୍ଚ୍ଚରେ ପୂର୍ବ ସରକାର ନୂଆ ନୀତି ପ୍ରଣୟନ କରି ମହୁଲ ସମେତ ୨୮ଟି ଲଘୁବନଜାତ ଦ୍ରବ୍ୟର ପରିଚାଳନା ଦାୟିତ୍ଵ ପଞ୍ଚାୟତ ହାତରେ ନ୍ୟସ୍ତ କରିଥିଲେ । ନିୟମ ଅନୁସାରେ ପ୍ରତ୍ୟେକ ପଞ୍ଚାୟତ ମହୁଲଫୁଲର ସହାୟକ ମୂଲ୍ୟ ଗ୍ରୀଷ୍ମ ଋତୁ ପୂର୍ବରୁ ଘୋଷଣା କରିବା କଥା । ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ମହୁଲର ସହାୟକ ମୂଲ୍ୟ ଘୋଷଣା ନହେବା ଯୋଗୁଁ ମହୁଲ ସଂଗ୍ରହକାରୀମାନେ ବାଧ୍ୟ ହୋଇ ବେପାରୀ ତଥା ମଦ ଭାଟି ମାନଙ୍କରେ କେଜି ପ୍ରତି ୧୨ ରୁ ୧୫ ଟଙ୍କାରେ ବିକ୍ରି କରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଅନ୍ୟପଟେ ମହୁଲ ବିକ୍ରି ନିମନ୍ତେ ସ୍ଵତନ୍ତ୍ର ମଣ୍ଡି ବ୍ୟବସ୍ଥା କରିବା ଜରୁରୀ ବୋଲି କହିଛନ୍ତି ଅବକାରୀ ଅଧିକାରୀ । ମହୁଲ ସଂଗ୍ରହକାରୀ ମାନେ ଯେପରି ଉଚିତ ମୂଲ୍ୟ ପାଇ ପାରିବେ ସେଥିପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି ।