ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ହୋଇପାରୁନି ‘ହୋ’ ଭାଷା, ଦିଲ୍ଲୀରେ ଏକାଠି ୫ ରାଜ୍ୟ

ନୂଆଦିଲ୍ଲୀ: ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ ଭାଷାକୁ ସାମିଲ କରିବା ଦାବି ନେଇ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା । ନିଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ନେତୃତ୍ବରେ ଆଦିବାସୀ ହୋ ସମାଜ ଯୁବ ମହାସଭା ଦ୍ବାରା ଏହି ଦିନିକିଆ ଧାରଣା ଦିଆଯାଇଛି ।

ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଆସାମ ଓ ଛତିଶଗଡର ହୋ ଭାଷୀ ଆଦିବାସୀମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି । ଦେଶର ପ୍ରାୟ ୪୦ଲକ୍ଷରୁ ଅଧିକ ହୋ ଭାଷୀ ଆଦିବାସୀ ବାସ କରୁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଅବହେଳାରୁ ଭାଷାକୁ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରାଯାଇପାରିନାହିଁ ।

ଝାଡଖଣ୍ଡରେ ଏହା ଦ୍ବିତୀୟ ରାଜ୍ୟ ଭାଷା ହୋଇଥିବା ବେଳେ ଶୁଣୁନାହାନ୍ତି କେନ୍ଦ୍ର ସରକାର, କେନ୍ଦ୍ର ସରକାରଙ୍କ ନିକଟରରେ ବାରମ୍ବାର ଦାବି ଉପସ୍ଥାନ କରାଯାଇଥିଲେ ମଧ୍ୟ ସରକାର ଏହି ଭାଷାକୁ ଅବହେଳା ପ୍ରଦାନ କରିଆସୁଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ବିଜେଡି ସାଂସଦମାନେ ମଧ୍ୟ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇଥିଲେ ।