spot_img

Latest Posts

ଜ୍ଵଳନ୍ତ ଉଦାହରଣ ସାଜିଛି ନାରୀ: ସୁସମାଜ ପ୍ରତିଷ୍ଠା ଦିଗରେ ସଂଘର୍ଷରତ ଓଡ଼ିଶାର ଦୁଇ ମହିଳା

କାଶୀପୁର: ସମାଜରେ କିଛି ବଡ଼ ପରିବର୍ତ୍ତନ ଆଣିବା ପାଇଁ ଅନେକ ନାରୀ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥାନ୍ତି । ସେଭଳି ଜଣେ ମହାନ ନାରୀ ଜନ୍ମ ନେଇଛନ୍ତି ଓଡ଼ିଶା ମାଟିରେ । ସେ ହେଉଛନ୍ତି ସୁମନି ଝୋଡିଆ । ରକ୍ଷଣଶୀଳ ସମାଜରେ ଏ ହେଉଛନ୍ତି ଜଣେ ବୁଦ୍ଧିମତୀ, ସମାଜ ସଂସ୍କାରକ ଓ ସୁବକ୍ତା । ମଦ ବିରୋଧୀ ଆନ୍ଦୋଳନର ମୁଖ୍ୟ ପୁରୋଧା ଆଉ ଆଦିବାସୀଙ୍କ ସୁଖ ଦୁଃଖକୁ ନିଜର କରିନେଇଥିବା ମହିୟସୀ ମହିଳା । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶିରିଗୁଡା ଭଳି ଆଦିବାସୀ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ସୁମନି ଝୋଡିଆ ପାଠ ପଢିନାହାଁନ୍ତି । କିନ୍ତୁ ସେ ଜଣେ ସମାଜବିଜ୍ଞାନୀ ।

ଆଜକୁ ୩୨ ବର୍ଷ ତଳେ ନିପଟ ମଫସଲର ଏହି ମହିଳା ଜଣଙ୍କ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ଚର୍ଚ୍ଚାକୁ ଆସିଥିଲେ । ଆଉ ହଠାତ୍ ଯୋଜନା ବୋର୍ଡର ଉପଦେଷ୍ଟା ଭାବେ ତାଙ୍କୁ ନିଯୁକ୍ତି ଦେଇଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ତାପରେ ମଦ ବିରୋଧି ଆନ୍ଦୋଳନର ମଙ୍ଗ ଧରି ସମାଜରେ ସଂସ୍କାର ଆଣିବା ପାଇଁ ଅହରହ ଉଦ୍ୟମ କରିଥିଲେ ସୁମନି। ଆଉ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଦିବାସୀ ମାନଙ୍କ ଅଧିକାରକୁ ନେଇ ସେ ଯେଉଁ ଆନ୍ଦୋଳନ କରିଥିଲେ ତାହା ପରବର୍ତୀ ସମୟରେ ଆମ ରାଜ୍ୟରେ ଆଇନରେ ପରିଣତ ହୋଇଥିଲା । ସବୁବେଳେ ସେ ଆଦିବାସୀ ମହିଳାମାନଙ୍କୁ ସମାଜର ମୁଖ୍ୟ ସାମିଲ କରିବାକୁ ଚେଷ୍ଟାରତ । ଏଥିପାଇଁ ତାଙ୍କୁ ଅନେକ ମାନ୍ୟତା ଓ ପୁରସ୍କାର ମିଳିଛି । ନିଜର ସାଂଗଠନିକ ଦକ୍ଷତା, ନିର୍ଭିକତା ଓ ସାହସିକତା ନେଇ ସେ ବିଭିନ୍ନ ସମୟରେ ବେଶ୍ ଚର୍ଚ୍ଚିତ । ବୟସର ଅପରାହ୍ନରେ ପାଦ ଦେଇଥିବା ମହିଳା ଆଜି ବି ନିଜର ଅଧିକାରକୁ ନେଇ ଲଡେଇ ଜାରି ରଖିଛନ୍ତି ।

ସେହିପରି ଆଉ ଜଣେ ସମାଜ ସଂସ୍କାରକ ମହିଳା ହେଉଛନ୍ତି ନିଗାର ଆଫ୍ରିନ । ପେଶାରେ ଜଣେ ଶିକ୍ଷୟିତ୍ରୀ । କେନ୍ଦ୍ରାପଡା ସହରସ୍ଥିତ ସଂଖ୍ୟାଲଘୁ ଗ୍ରାମ ଦିଲାୱରପୁର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ସେ ତାଙ୍କ ଅଞ୍ଚଳରେ ଥିବା ସଂଖ୍ୟାଲଘୁ ଗରିବ, ଅଶିକ୍ଷିତ ପରିବାରର ଝିଅମାନଙ୍କୁ ପ୍ରାଥମିକ ଶିକ୍ଷା ଦେଉଛନ୍ତି । ଶିକ୍ଷାର ଗୁରୁତ୍ୱ ଅପାଠୁଆ ଗରିବ ଖଟିଖିଆ ସଂଖ୍ୟାଲଘୁ ପରିବାର ପିଲାଙ୍କ ପାଇଁ କେତେ ଜରୁରୀ ତାକୁ ବୁଝାଉଛନ୍ତି । ସେଥିପାଇଁ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି ଏହି ଅଞ୍ଚଳରେ। ସାଧାରଣତଃ ସଂଖ୍ୟାଲଘୁ ପରିବାରର ଝିଅମାନେ ବାହାରକୁ ବାହାରିବା ଓ ନିଜ ଗୋଡ଼ରେ ଠିଆ ହେବାକୁ ସଂଖ୍ୟାଲଘୁ ପରିବାର ଲୋକେ ନାପସନ୍ଦ କରିଥାନ୍ତି । ସେଥିପାଇଁ ସେ ମଧ୍ୟ ନିଜ ଶାଶୁଘରର ଲୋକଙ୍କୁ ବହୁ କଷ୍ଟରେ ବୁଝାଇ ରାଜି କରିଥିଲେ ଚାକିରି କରିବା ପାଇଁ । ଅନ୍ୟ ଝିଅମାନେ ଏଭଳି ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ସେ ଚେଷ୍ଟିତ । ନିଗାର ଆଫ୍ରିନଙ୍କ ଏହି ଉଦ୍ୟମ ସ୍କୁଲର ପ୍ରଧାନଶିକ୍ଷୟତ୍ରୀଙ୍କ ଠାରୁ ଆରମ୍ଭ କରି ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ବିଶ୍ଵରେ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଛି ।

Latest Posts

Don't Miss