ମାଲକାନଗିରିରେ ଆଦିବାସୀଙ୍କ ରଣହୁଙ୍କାର; ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରାଉ

ମାଲକାନଗିରି: ମାଲକାନଗିରିରେ ଆଦିବାସୀଙ୍କ ରଣହୁଙ୍କାର। ପେସା ଆଇନ କାର୍ଯ୍ଯକାରୀ ଦାବିରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରିଲେ ଆଦିବାସୀ। ଜଙ୍ଗଲ, ଜମି ଅଧିକାର ଦାବିରେ ହଜାର ହଜାର ଆଦିବାସୀ ମହାସଙ୍ଗମ ସମାବେଶ କରିଛନ୍ତି । ଜଙ୍ଗଲ ଜମି ପଟ୍ଟା, ଗ୍ରାମସଭାକୁ ସମ୍ପୂର୍ଣ୍ଣ ଅଧିକାର ଓ ପେସା ଆଇନ ଲାଗୁ କରିବା ଭଳି ବିଭିନ୍ନ ଦାବି ନେଇ ଗଣଆନ୍ଦୋଳନ କରୁଛନ୍ତି ଆଦିବାସୀ । ପ୍ରାୟ ୨୦ ହଜାର ଆଦିବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଜିଲ୍ଲାର ସମସ୍ତ ଆଦିବାସୀ ସମାଜ, ମହାଗ୍ରାମ ସଭା, କାଲିମେଳା, ପଡିଆ ମିଶି ଏକ ସ୍ମାରକ ପତ୍ର ପ୍ରଦାନ ପାଇଁ ଅପିଲ କରିଛନ୍ତି। ଏନେଇ ଆଜି ମାଲକାନଗିରି ସହର ଜନ ସମୁଦ୍ର ପାଲଟିଛି ।

ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ, ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଏବଂ ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ପାଇଁ ଅନୁସୂଚିତ ଜନଜାତି ମାନଙ୍କର ସୁରକ୍ଷା ଦାବିପତ୍ରରେ ଉଲ୍ଲେଖ ରହିଛି । ମାଲକାନଗିରି ଜିଲ୍ଲାରେ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ଵ ହେବ ୨୩୪ ଗୋଟି ଗ୍ରାମସଭା ପକ୍ଷରୁ  ଗୋଷ୍ଠି ଜଙ୍ଗଲ ସମ୍ବଳ ଅଧିକାର ପାଇଁ ଦାବି କରଯାଇଛି। ଜିଲ୍ଲା ସ୍ତରୀୟ କମିଟି ନିକଟରେ ବାରମ୍ବାର ଅଭିଯୋଗ ଓ ଅନୁରୋଧ କରିବା ସତ୍ତ୍ବେ ମଧ୍ୟ ପଟ୍ଟା ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି। ଗତ ବର୍ଷ ମେ ମାସ ୧୮ ତାରିଖରେ ମଧ୍ୟ ଦାବି କରାଯାଇଥିଲା। କିନ୍ତୁ ପଟ୍ଟା ପ୍ରଦାନ କରିବା ପାଇଁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଇ ମାଲକାନଗିରି ଜିଲ୍ଲାର ସମସ୍ତ ଅନୁସୂଚିତ ଜନଜାତି ମାନଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଆଦିବାସୀ ମହାସଂଘ ଅଭିଯୋଗ କରିଛି। ଖୁବଶୀଘ୍ର ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଓ ବ୍ୟକ୍ତିଗତ ଅଧିକାର ପଟ୍ଟା ବଣ୍ଟନ ପ୍ରକ୍ରିୟାକୁ ତରାନ୍ବିତ କରିବାକୁ ସ୍ପଷ୍ଟ କରିବାକୁ ଦାବି କରାଯାଇଛି ।

ଓଡିଶା ସରକାର ଦ୍ବାରା ଯେଉଁ ଡ୍ରାଫ୍ଟ ନିୟମ କରାଯାଇଛି ତାହା ପେସା ଆଇନ ୧୯୯୬ର ମୂଳ ଭାବନାକୁ କ୍ଷୁଣ୍ଣ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ଆଦିବାସୀ ମହାସଂଘ। ଏଣୁ ଡ୍ରାଫ୍‌ଟ ନିୟମକୁ ବିରୋଧ କରି ପେଶା ଆଇନର ମୂଳ ଭାବନାକୁ ଗୁରୁତ୍ବ ଦିଆଯାଇ ଉଢ଼ିବାଦୀ ଗ୍ରାମସଭାର ଦାବି ପୂରଣ କରାଯାଉ ବୋଲି ଦାବି ହୋଇଛି । ସେହିଭଳି ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ଯଥା ବାଲିମେଳା ଜଳଭଣ୍ଡାର ଓ ସତୀଗୁଡା ଜଳଭଣ୍ଡାର ନିର୍ମାଣ ଦ୍ବାରା ମାଲକାନଗିରିରେ ହଜାର ହଜାର ଆଦିବାସୀ ପରିବାର ବିସ୍ଥାପିତ ହୋଇଛନ୍ତି। ଦୁର୍ଭାଗ୍ୟବସତଃ ବିକଳ୍ପ ଜମି ଏବଂ ଜୀବିକା ନିର୍ବାହ ପାଇଁ ସେମାନଙ୍କ ଯଥାର୍ଥ ଦାବି ନିଶ୍ଚିତ କରିବାକୁ ପର୍ଯ୍ୟାପ୍ତ ପୁନର୍ବାସ ଏବଂ ପୁନଃ ଥଇଥାନ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ବିସ୍ଥାପିତ ଆଦିବାସୀଙ୍କୁ ଜମି ଅଧିକାର ଓ ପଟ୍ଟା ପ୍ରଦାନ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି ହୋଇଛି ।