ଶପଥ ନେଲେ ଆଦିବାସୀ ସଂଘ, କହିଲେ ବର୍ଷାଙ୍କୁ ଦେବୁ ଭୋଟ

ପଦମପୁର: ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଭୋଟ୍ ଦେବାକୁ ଖୋଲା ସମାବେଶରେ ଶପଥ । ଆଦିବାସୀ ସଂଘ ଓ ଲକ୍ଷେ ଘର ଗଣ୍ଡା ସମାଜର ସଦସ୍ୟମାନେ ଆଜି ଏଭଳି ଶପଥପାଠ କରିଛନ୍ତି । ବରଗଡ଼ ଜିଲ୍ଲା ପାଇକମାଳ ନୃସିଂହନାଥ ମନ୍ଦିର ନିକଟରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଆୟୋଜିତ ହୋଇଥିଲା ଦୁଇଟି ସମାବେଶ । ଆଦିବାସୀ ଓ ଲକ୍ଷେ ଘର ଗଣ୍ଡା ସମାଜର ସଦସ୍ୟଙ୍କୁ ନେଇ ଆୟୋଜିତ ଏହି ଦୁଇଟି ପୃଥକ ପୃଥକ ସଭାରେ ଅଂଚଳର ବିକାଶ ଓ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା ।

ଆଦିବାସୀ ସମାଜ ସଭାରେ ଭଟଲି ବିଧାୟକ ସୁଶାନ୍ତ ସିଂ , କଣ୍ଟାମାଳ ବିଧାୟକ ମହିଧର ରଣା ଓ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଲକ୍ଷେ ଘର ଗଣ୍ଡା ସମାଜର କାର୍ଯ୍ୟକ୍ରମରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇଥିଲେ । ସଭା ରେ ଉପସ୍ଥିତ ସମସ୍ତ ମହିଳା ଓ ପୁରୁଷ ଭୋଟର ନିଜ ମାଟିର ଆଦିବାସୀ ଝିଅ ବର୍ଷା ସିଂ ବରିହାଙ୍କୁ ଭୋଟ ଦେଇ ବିଜୟୀ କରିବୁ ବୋଲି ପ୍ରତିଶୃତି ଦେଇଥିଲେ । କେବଳ ସେତିକି ନୁହେଁ ବର୍ଷାଙ୍କୁ ନିରୁତ୍ସାହିତ କରିବାକୁ ବିଜେପି ଯେଭଳି ଅପମାନସୂଚକ ମନ୍ତବ୍ୟ ଦେଉଛି, ତାକୁ ମଧ୍ୟ ନିନ୍ଦା କରିଥିଲେ ।