ବିଜେପି ସରକାରରେ ଆଦିବାସୀ ଅସୁରକ୍ଷିତ, ୫ ମାସରେ ବିଭିନ୍ନ ହଷ୍ଟେଲରେ ୧୦ ଛାତ୍ରଛାତ୍ରୀଙ୍କ ମୃତ୍ୟୁ
1 min readଭୁବନେଶ୍ବର: ବିଜେପି ସରକାରରେ ଅସୁରକ୍ଷିତ ଆଦିବାସୀ । ୫ ମାସରେ ସାରା ରାଜ୍ଯରେ ବିଭିନ୍ନ ଆଦିବାସୀ ହଷ୍ଟେଲରେ ୧୦ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଲାଣି । ଯାହାକୁ ନେଇ ରାଜ୍ୟ ବିଜେପି ସରକାର ଉପରେ ବର୍ଷିଛି କଂଗ୍ରେସ । ବିଜେପି ସରକାର ଆସିବା ପରେ ଆଦିବାସୀ ଅସୁରକ୍ଷିତ ହୋଇପଡ଼ିଛନ୍ତି । ଆଦିବାସୀଙ୍କୁ ସୁରକ୍ଷା ଦେବାକୁ କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ଦାବି କରିଛନ୍ତି । ଆଗାମୀ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବା ସହ ସରକାରଙ୍କୁ ଜବାବ ମଗାଯିବ ବୋଲି କହିଛନ୍ତି ମଙ୍ଗୁ ।
ସେହିପରି କାହିଁକି ଛାତ୍ରଛାତ୍ରୀ ଆତ୍ମାହତ୍ୟା କରୁଛନ୍ତି ତାହାର ତଦନ୍ତ ଦାବି କରିଛନ୍ତି ଅନ୍ଯତମ କଂଗ୍ରେସ ବିଧାୟକ ନୀଳମାଧବ ହିକକା । ଅବହେଳା ଯୋଗୁଁ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେଉଛି । ସରକାର ଆଦିବାସୀ ମାରଣନୀତି ଅବଲମ୍ବନ କରିଛନ୍ତି । ରାଜ୍ୟରେ ଡବଲ ଇଞ୍ଜିନ ସରକାର l ଆଦିବାସୀ ମୁଖ୍ୟମନ୍ତ୍ରୀ ହେଲେ ଆଦିବାସୀ ଭବିଷ୍ୟତ ଅକାଳରେ ଝଡି ପଡୁଛି । ହେଲେ ସେଥିପ୍ରତି କାହାରି ନିଘା ନାହିଁ ବୋଲି କହିଛନ୍ତି ନୀଳମାଧବ । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଆର୍ଥିକ ସାହାଯ୍ୟ ଦେବାକୁ ସେ ଦାବି କରିଛନ୍ତି । ସରକାର ତୁରନ୍ତ ଏ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।
ସୋମବାର ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ଗୋତିଗୁଡା ଆଦିବାସୀ ସେବାଶ୍ରମରେ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି l ୨୦୨୪ ମସିହା ଗତ ଜୁଲାଇ ମାସରୁ ଗତ ନଭେମ୍ଵର ମଧ୍ୟରେ ପ୍ରାୟ ୧୦ ଜଣ ଛାତ୍ରଛାତ୍ରୀଙ୍କ ରାଜ୍ୟର ବିଭିନ୍ନ ଆଦିବାସୀ ହଷ୍ଟେଲରେ ମୃତ୍ୟୁ ଘଟିଛି ।
ରାୟଗଡ଼ାରେ ବଦରସିଂହ ସ୍କୁଲରେ ମ୍ୟାଲେରିଆରେ ଚନ୍ଦୁ କୋଲାକାଙ୍କ ମୃତ୍ୟୁ ହୋଇଥିଲା । ସେହିପରି କାଶୀପୁରରେ କୁଚେଇପଦର ସ୍କୁଲର ଅଶୋକ ଝୋଡ଼ିଆ, କୋଲନରା ଭୋଇମୋଡ଼ା ସ୍କୁଲର ଜ୍ୟାକସନ ମାଣ୍ଡାଙ୍ଗି ଓ ପାଇକୋପଦା ସ୍କୁଲର ସାମନ୍ତ ବିଡ଼ିକା, ରାୟଗଡ଼ାର ବିଲେସୁ ସ୍କୁଲର ସରୋଜ ତାଡ଼ିଙ୍ଗୀ, ଗୁଦାରୀ ସୌରପେଣ୍ଡିଲି ସ୍କୁଲର ଅନନ୍ୟା ନିର୍ମଳ, ବିଶମକଟକ ଡୁକୁମୁ ସ୍କୁଲର ଝରଣା ଜାଗରଣ ଏବଂ କାଶୀପୁରର ଚନ୍ଦ୍ରଗିରି ସ୍କୁଲର ଖଗେଶ୍ଵର ଝୋଡ଼ିଆହଙ୍କ ମୃତ୍ୟୁ ହୋଇଛି । ଏହାର ସତ୍ୟତା ପଦାକୁ ଆଣିବାକୁ ମଧ୍ୟ ସେ ଦାବି କରିଛନ୍ତି ।