ଚର୍ଚ୍ଚାରେ ନବୀନଙ୍କ ଡ୍ରିଙ୍କ୍ ଫ୍ରମ୍ ଟାପ୍ ଯୋଜନା, ଜାତୀୟ ସ୍ତରରେ ପୁରୀ ପ୍ରୋଜେକ୍ଟକୁ ନେଇ ଆଲୋଚନା

1 min read

ନନ୍ଦିଘୋଷ ବ୍ୟୁରୋ: ପୁରୀକୁ ସ୍ୱଛ ଓ ବିଶୁଦ୍ଧ ଜଳ ଯୋଗାଇ ଦେବାକୁ ଆରମ୍ଭ ହୋଇଛି ସୁଜଳ ପ୍ରୋଜେକ୍ଟ । ଏହା ଦେଶର ପ୍ରଥମ ଡ୍ରିଙ୍କ୍ ଫ୍ରମ୍ ଟାପ୍ ପ୍ରକଳ୍ପ । ଦେଶର କୌଣସି ସହରରେ ଏଭଳି ସୁବିଧା ଉପଲବ୍ଧ ନଥିବା ବେଳେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ପୁରୀରେ ଏହି ସୁବିଧା ଯୋଗାଇ ଦେଇଛି । ଏହି ଯୋଜନା ଯୋଗୁଁ ପୁରୀ ସହରର ପାଖାପାଖି ଅଢେଇ ଲକ୍ଷ ବାସିନ୍ଦା ବିଶୁଦ୍ଧ ପାନୀୟ ଜଳ ପାଇବେ । ସିଧାସଳଖ ପାଇପରୁ ପାଣି ନେଇ ପିଇ ପାରିବେ ଓ ରୋଷେଇ କରିପାରିବେ । ପାଣିକୁ ପୁଣିଥରେ ବିଶୋଧନ କରିବାକୁ ପଡିବ ନାହିଁ । ଆରଓ କିମ୍ବା ଫିଲ୍ମଟର ଆବଶ୍ୟକତା ନାହିଁ ।

ଦେଶର ବଡ଼ ବଡ଼ ମେଟ୍ରୋ ଏଭଳି ସୁବିଧା ନିଜ ନାଗରିକଙ୍କୁ ଏପର୍ଯ୍ୟନ୍ତ ଯୋଗାଇ ପାରିନଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଉଦ୍ୟମ ଏବେ ଜାତୀୟ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକଙ୍କ ମଧ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ନବୀନ ପଟ୍ଟନାୟକଙ୍କ ଏହି ଉଦ୍ୟମ ପ୍ରାଥମିକ ଓ ଜନସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ମାଇଲ ଖୁଣ୍ଟ ବୋଲି ଚର୍ଚ୍ଚା ହେଉଛି । ଟାଇମ୍ସ ନାଓର ବରିଷ୍ଠ ସାମ୍ବାଦିକ ରାହୁଲ ଶିବଶଙ୍କର ଟ୍ୱିଟ୍ କରି ଡ୍ରିଙ୍କ୍ ଫ୍ରମ୍ ଟାପ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରି ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ଓଡ଼ିଶାକୁ ଶୁଭେଛା । ୨୪ ଘଣ୍ଟା ବିଶୁଦ୍ଧ ଜଳ ଯୋଗାଇ ଦେବାରେ ପୁରୀ ଦେଶର ପ୍ରଥମ ସହର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନ୍ୟୁୟର୍କ,ସିଙ୍ଗାପୁର ଓ ଲଣ୍ଡନ ସହିତ ତୁଳନୀୟ କରିପାରିଛନ୍ତି ।

ସେହିଭଳି ଇନ୍ ସମ୍ବାଦ ଗ୍ରୁପର ମ୍ୟାନେଜିଂ ଏଡିଟର ଦୀପକ ଶର୍ମା ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏହି ବ୍ୟକ୍ତି ଜଣକ ନା ଖବରକାଗଜରେ ନିଜ ଫଟୋ ଛାପନ୍ତି ନା ବ୍ୟାନର ଟାଙ୍ଗନ୍ତି । ଗତ ୨୧ ବର୍ଷ ଧରି ସେ ଦେଶର ଗୋଟିଏ ପଛୁଆ ରାଜ୍ୟକୁ ନୂଆ ଶୀର୍ଷକୁ ନେଇ ଚାଲିଛନ୍ତି । ଆଜି ସେ ପୁଣି ଗୋଟିଏ ଟମତ୍କାର କରିଛନ୍ତି । ପୁରୀ ଦେଶ ପ୍ରଥମ ସହର ଯେଉଁଠି ROର ଆବଶ୍ୟକତା ପଡିବ ନାହିଁ । ସିଧା ପାଇପ୍ ଖୋଲନ୍ତୁ ପାଣି ପିଅନ୍ତୁ । କେବଳ ଜାତୀୟ ଗଣମାଧ୍ୟମ ନୁହେଁ ପୂର୍ବତନ ପ୍ରଶାସକ,ଘରୋଇ କମ୍ପାନୀର ଅଧିକାରୀ ଓ ଅନ୍ୟ ରାଜନୈତିକ ଦଳର ନେତା ମଧ୍ୟ ପୁରୀକୁ ବିଶୁଦ୍ଧ ଜଳ ଯୋଗାଇ ଦେବା ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ଅନିଲ ସ୍ୱରୁପ ।

ଅନିଲ ସ୍ୱରୁର ଟ୍ୱିଟ କରି କହିଛନ୍ତି ଯେ, ଏହି ବ୍ୟକ୍ତି ବିସ୍ମିତ କରିବା ଜାରି ରଖିଛନ୍ତି । ନିରବତାର ସହିତ କିନ୍ତୁ ପ୍ରଭାବି ଭାବେ ଉଦ୍ୟମକୁ ସଫଳ କରିଥିବାରୁ ନବୀନଙ୍କୁ ଶୁଭେଛା । ଅନ୍ୟ ରାଜ୍ୟଙ୍କ ପାଖରେ ତାଙ୍କଠାରୁ ଶିଖିବା ପାଇଁ ବହୁତ କିଛି ଅଛି । ବିକନ୍ ଲିମିଟେଡ୍ ଓ ବିକନ୍ ବାୟୋଲଜିକ୍ ଲିମିଟେଡର ପ୍ରତିଷ୍ଠାତା କିରନ ମଜୁମଦାର ସ’ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ସେ ଟ୍ୱିଟ୍ କରି ଏହା ପ୍ରାଥମିକ ଓ ଜନସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ ବିରାଟ ପଦକ୍ଷେପ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ନେତା ଅଲକା ଲାମ୍ବା ଏହି ମୌକାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିବା ମୌକା ଛାଡି ନାହାନ୍ତି । ଦୀପକ ଶର୍ମାଙ୍କ ଟ୍ୱିଟକୁ ସେୟାର କରି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଛି ଶିଖନ୍ତୁ ବୋଲି ଲେଖିଛନ୍ତି । ସେ ଲେଖିଛନ୍ତି ଯେ, ଦିଲ୍ଲୀକୁ ନିଜ ହାଲରେ ଛାଡି ରାଜନୈତିକ ମୌକା ତଲାସରେ ଅନ୍ୟ ରାଜ୍ୟକୁ ପଳାଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନବୀନଙ୍କଠାରୁ କିଛି ଶିଖନ୍ତୁ ବୋଲି ସେ ଲେଖିଛନ୍ତି ।

Leave a Reply