ସ୍ୱାମୀ କରିଥିଲେ ସଂଙ୍କଳ୍ପ, ବ୍ରତ ଭାବେ ପାଳନ କରୁଛନ୍ତି ସ୍ତ୍ରୀ

ନୂଆପଡ଼ା: ସ୍ୱାମୀ କରିଥିଲେ ସଂଙ୍କଳ୍ପ । ଏବେ ସ୍ବାମୀଙ୍କ ସଂଙ୍କଳ୍ପକୁ ବ୍ରତ ଭାବେ ପାଳନ କରୁଛନ୍ତି ସ୍ତ୍ରୀ । ସ୍ବାମୀ ଆରପାରିକୁ ଚାଲିଗଲାପରେ ସେ ସୃଷ୍ଟି କରିଥିବା ଜଙ୍ଗଲର ନିଃସ୍ଵାର୍ଥପର ଭାବେ ସୁରକ୍ଷା କରୁଛନ୍ତି । ନିଛାଟିଆ ଜଙ୍ଗଲରେ ବୁଲି ଗଛଗୁଡିକୁ ବିପଦରୁ ରକ୍ଷା କରୁଛନ୍ତି । ବିନା ସରକାରୀ ସହାୟତାରେ ଦୀର୍ଘ ୩୦ ବର୍ଷ ହେଲା ବନ ସୁରକ୍ଷାରେ ଲାଗିପଡିଛନ୍ତି ମହିଳା । ଦେଖିବା ଏହି ଏହି ସ୍ବତନ୍ତ୍ର ରିପୋର୍ଟ ଜଙ୍ଗଲ ରାଣୀଙ୍କ ଜୀବନ କାହାଣୀ

ଜଙ୍ଗଲ ହିଁ ଜୀବନ । ପରିବେଶ ସନ୍ତୁଳନରେ ବୃକ୍ଷ ଲତାଙ୍କ ରହିଛି ଗୁରୁତ୍ବ । ଏହାକୁ ବୋଧେ ହୃଦୟଙ୍ଗମ କରିପାରିଛନ୍ତି ଆଦିବାସୀ ମହିଳା ହିରାଦେଇ ମାଝୀ । ଦୀର୍ଘ ୩୦ ବର୍ଷ ହେବ ନିରବଚ୍ଛିନ୍ନ ଭାବେ ବନ ସୁରକ୍ଷାରେ ଲାଗିପଡିଛନ୍ତି । ପିଲା ଛୁଆ ଭଳି ଗଛ ଗୁଡିକର ଲାଳନପାଳନ କରୁଛି । ଦିନ ତମାମ ନିଃସ୍ଵାର୍ଥପର ଭାବେ ବନକୁ ବିପଦରୁ ରକ୍ଷା କରୁଛନ୍ତି । ଏହି ମହତ କାର୍ଯ୍ୟପାଇଁ ସେ ସବୁଠି ଜଙ୍ଗଲ ରାଣୀଭାବେ ପରିଚିତ ହୋଇଛନ୍ତି । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କାପସି ଗାଁର କରାଡୁଙ୍ଗରୀ ଜଙ୍ଗଲକୁ ନିଜ ପରିବାର ଭଳି ଜତ୍ନ ନେଉଛନ୍ତି ହିରାଦେଇ ମାଝୀ ।

ଅନେକ ବାଧାବିଘ୍ନ ଆସିଛି ହିରାଦେଇଙ୍କ ଜୀବନରେ । ହେଲେ ସେ ନିଜ କର୍ତ୍ତବ୍ୟରୁ କେବେ ଓହରି ନାହାନ୍ତି । ହିରାଦେଇଙ୍କ ଏଭଳି କାର୍ଯ୍ୟକୁ ପ୍ରକୃତି ପ୍ରେମୀ ଭୁରି ଭୁରି ପ୍ରଶଂସା କରିଛନ୍ତି । ତାଙ୍କ ଅକ୍ଳାନ୍ତ ଉଦ୍ୟମ ଓ ଉତ୍ସାହକୁ ନେଇ ବନବିଭାଗ ଶହ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ପୁରସ୍କୃତ ମଧ୍ୟ କରିଛନ୍ତି। ଗୋଟିଏ ପଟେ ପରିବାର ପ୍ରତିପୋଷଣ , ଅନ୍ୟ ପଟେ ଅତି ଆପଣାର ଜଙ୍ଗଲର ସୁରକ୍ଷା ଭିତରେ ଆସିଛି ଅନେକ ବାଧାବିଘ୍ନ । ହେଲେ କୌଣସିବି ସ୍ଥିତିରେ ହାର ମାନିନାହାଁନ୍ତି ହିରାଦେଇ । ହିରାଦେଇଙ୍କ ସ୍ଵାମୀ ଅଙ୍ଗଦ ମାଝୀ ୧୧ ଏକରରୁ ଉର୍ଦ୍ଧ୍ବ ଅଞ୍ଚଳରେ ବ୍ୟାପ୍ତ ଏହି ଜଙ୍ଗଲର ସୁରକ୍ଷା ପାଇଁ ସଂକଳ୍ପ କରିଥିଲେ । ସେହିଦିନ ଠାରୁ ଉଭୟ ସ୍ଵାମୀ ସ୍ତ୍ରୀ ବିନା ସରକାରୀ ସହାୟତାରେ କରାଡୁଙ୍ଗରୀରେ ଚାରା ଲଗାଇ ଜଙ୍ଗଲ ସୁରକ୍ଷା କରୁଥିଲେ ।

କାଳକ୍ରମେ ଆରପାରିକୁ ଚାଲିଗଲେ ଅଙ୍ଗଦ । ହେଲେ ହିରାଦେଇ ସ୍ବାମୀଙ୍କ ସଙ୍କଳ୍ପକୁ ବ୍ରତ ଭାବେ ପାଳନ କରୁଛନ୍ତି । ପରିଣତ ବୟସରେ ମଧ୍ୟ ଥକିନାହାନ୍ତି ହିରାଦେଇ । କାନ୍ଧରେ ଟାଙ୍ଗିଆ, ଅଣ୍ଟାରେ ଗାମୁଛା ବାନ୍ଧି ପ୍ରତିଦିନ ଜଙ୍ଗଲ ଅଭିମୁଖେ ବାହାରି ଯାଆନ୍ତି ହିରାଦେଇ । ଜଙ୍ଗଲ ସୁରକ୍ଷାକୁ ନିଜର ଲକ୍ଷ୍ୟ ଓ ବ୍ରତ ରୂପେ ଗ୍ରହଣ କରିନେଇଛନ୍ତି ହିରାଦେଇ । ତାଙ୍କ ଏହି ମହତ କାର୍ଯ୍ୟ ଜନସମାଜକୁ ନୂତନ ଶିକ୍ଷା ପ୍ରଦାନ କରିପାରିଛି ।