ମାଟି ପାଇଁ ଦେଶ ଭ୍ରମଣ, ଦେଢ଼ ବର୍ଷରେ ଯାତ୍ରା କରିବେ ୨୫ ହଜାର କିଲୋମିଟର

1 min read

ଭୁବନେଶ୍ୱର: ମାଟି ପାଇଁ ଦେଶ ଭ୍ରମଣ । ଦେଢ଼ ବର୍ଷରେ ୨୫ ହଜାର କିଲୋମିଟର ସାଇକେଲ ଯାତ୍ରା ଲକ୍ଷ୍ୟ । ମାଟିକୁ ବଞ୍ଚାଇବା ପାଇଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ଏମିତି ଏକ ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି କୋଲକାତାର ସାହିଲ ଝା । ୧୬ ବର୍ଷିୟ ସାହିଲ ଝା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ସରିବା ପରେ ଗତ ୧ ତାରିଖରୁ ଆରମ୍ଭ କରିଛନ୍ତି ’SAVE SOIL’ ଅଭିଯାନ । ବୃକ୍ଷ ରୋପଣ ସହ ଆମ ମାଟିକୁ ବିଷ କବଳରୁ କେମିତି ବଞ୍ଚାଇହେବ ସେନେଇ ସାଇକେଲରେ ବୁଲି ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ସାହିଲ ।

୨୫ ଦିନ ମଧ୍ୟରେ ସାହିଲ ୧୨ ଶହ କିଲୋମିଟର ଅତିକ୍ରମ କରିଥିବାବେଳେ, ଆଗାମୀ ଦେଢ଼ ବର୍ଷ ଭିତରେ ସେ ମୋଟ ୨୫ ହଜାର କିଲୋମିଟର ବୁଲି ଲୋକଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖିଛନ୍ତି । କୋଲକତାରୁ ବାହାରି ସାହିଲ ଏବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଭେଟି ’SAVE SOIL’ ସମ୍ପର୍କରେ ଆଲୋଚନା କରିଥିଲେ । ସାହିଲଙ୍କ ଏହି ଉଦ୍ୟମକୁ ବିଧାୟକ ପ୍ରଶଂସା କରିବା ସହ ସମସ୍ତେ ମାଟିକୁ ରକ୍ଷା କରିବା ପାଇଁ ମିଳିତ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଛନ୍ତି ।