ପରମିଟ୍ ଓ ଫିଟନେସ୍ ନଥାଇ ଗଡ଼ୁଛି ଗାଡ଼ି, ସରକାର ହରାଉଛନ୍ତି ରାଜସ୍ୱ

ଭୁବନେଶ୍ୱର: ଟିକସ ଫାଙ୍କି ରାଜରାସ୍ତାରେ ବେନିୟମ ଭାବେ ଗଡୁଛି ଯାନବାହାନ । ଯାହାର ପର୍ଦ୍ଦାଫାସ୍ କରିବାକୁ ପରିବହନ ବିଭାଗ ପକ୍ଷରୁ ଗଠିତ ହୋଇଛି ସ୍ୱତନ୍ତ୍ର ସ୍କ୍ୱାଡ । ଏହି ସ୍କାଡ୍ ହାତରେ ଧରା ପଡ଼ିଲାଣି ବହୁ ଗାଡ଼ି । ଦୀର୍ଘ ଦିନରୁ ଅସାଧୁ ଗାଡି ମାଲିକଙ୍କ ଦ୍ୱାରା ଚାଲିଛି ଏହି କେଳେଙ୍କାରୀ । ସେପଟେ କଟକଣା ଭିତରେ ଆଇନର ଗଳାବାଟକୁ ଆଧାର କରି ଅସାଧୁ ଗାଡ଼ି ମାଲିକଙ୍କ ଯୋଗୁଁ ରାଜକୋଷରୁ ହୋଇଛି କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ।

Transport Department Seized Bus Running With Out Permit And Fitness Certificate

କୋଭିଡ୍ ସମୟରେ ଗାଡ଼ି ମାଲିକଙ୍କ ସମସ୍ୟାକୁ ଲାଘବ କରିବାକୁ ଯାଇ ଟିକସ ଛାଡ଼ କରିଥିଲେ ରାଜ୍ୟ ସରକାର । ତଥାପି କିଛି ଅସାଧୁ ଗାଡ଼ି ମାଲିକଙ୍କ ଲୋଭ ସେମାନଙ୍କ ପାଇଁ ସୃଷ୍ଟି କରିଛି ଜଟିଳ ପରିସ୍ଥିତି । କୋରାପୁଟରୁ ଭୂବନେଶ୍ୱର ଯାତାୟତ କରୁଥିବା ‘ରାଜଧାନୀ’ ନାମକ ଏକ ଯାତ୍ରୀବାହୀ ବସ୍ ଖଣ୍ଡଗିରି ଠାରେ ଧରା ପଡ଼ିବା ପରେ ପରିବହନ ବିଭାଗକୁ ମିଳିଛି ଅନେକ ତଥ୍ୟ । ୨୦୧୯ ମସିହା ମେ ମାସରୁ ଗାଡିର ପରମିଟ୍ ନାହିଁ କି ଫିଟନେସ୍ ନାହିଁ । ବକେୟା ଟ୍ୟାକ୍ସ ସହ ଜରିମାନା ଅର୍ଥ ଏବେ ୫ଲକ୍ଷ ୮୧ହଜାର ୯୮୧ଟଙ୍କା । ଗାଡ଼ିକୁ ଜବତ କରିଛି ପରିବହନ ବିଭାଗ ।  କେବଳ ଏହି ଗୋଟିଏ ଗାଡ଼ି ନୁହେଁ ବରଂ ଆନ୍ତଃରାଜ୍ୟ ବସ୍ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି ଏକା ସମସ୍ୟା । ପଶ୍ଚିମବଙ୍ଗ ଯାତାୟତ କରୁଥିବା ଆଉ ଏକ ବସ୍ ଓ କେତେକ ସ୍କୁଲ ବସ୍ ମଧ୍ୟ ଜବତ ହୋଇଛି ।

Transport Department Seized Bus Running With Out Permit And Fitness Certificate

ଅସାଧୁ ଗାଡ଼ି ମାଲିକଙ୍କ ଏହି ତରିକା ଯୋଗୁଁ ରାଜ୍ୟ ସରକାର ରାଜସ୍ୱ ହରାଉଛନ୍ତି । ଏଥିସହ ସାଧାରଣ ଯାତ୍ରୀ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି । ଗାଡ଼ିର କାଗଜପତ୍ର ସଠିକ୍ ନଥିଲେ ତାହାର ଇନ୍ସୁରାନ୍ସ ମଧ୍ୟ ହୋଇନଥାଏ । ଏଭଳି ସ୍ଥିତିରେ ଉକ୍ତ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ଯାତ୍ରୀଙ୍କୁ କ୍ଷତିପୂରଣ ମିଳିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଏକ୍ଷେତ୍ରରେ ପରିବହନ ବିଭାଗକୁ ଅଧିକ ଯତ୍ନବାନ ହେବା ଜରୁରି ବୋଲି ମତ ଦେଇଛନ୍ତି ସଡ଼ିକ ସୁରକ୍ଷା ସମିତି ସଦସ୍ୟ । ଯାତ୍ରୀବାହୀ ବସ୍ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିୟୋଜିତ ସ୍କୁଲ ଓ କଲେଜ ବସ୍ ଗୁଡ଼ିକରେ ମଧ୍ୟ ଏହି ସମସ୍ୟା ରହିଛି । ଯାହା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ବିପଦ ।

Leave a Reply