ବକେୟା ପଡ଼ିଛି ୧୮ କୋଟି ଟଙ୍କା: ଟିକସ ଆଦାୟ କରିବାକୁ କିନ୍ନରଙ୍କ ସହଯୋଗ ଲୋଡ଼ିଲା ବିଏମ୍‌ସି

1 min read

ଭୁବନେଶ୍ୱର: କରୋନା କାଳରେ ବିଏମସିର ହୋଇଛି ରାଜସ୍ୱ ହାନୀ । ବକେୟା ପଡ଼ି ରହିଛି ବହୁ କୋଟି ଟଙ୍କାର ଟିକସ ବାବଦ ଅର୍ଥ । ରାଜସ୍ୱ ଆଦାୟ କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ନିର୍ଦ୍ଦାରିତ ସମୟ ମଧ୍ୟରେ ବକେୟା ଟିକସ ଆଦାୟ କରିବାକୁ ପୁଣି କିନ୍ନରଙ୍କ ସହଯୋଗ ଲୋଡିଲା ବିଏମସି । କିନ୍ନରଙ୍କ ଦୁଇଟି ଗୋଷ୍ଠୀ ଆଦାୟ କରିବେ ୧୮କୋଟି ଟଙ୍କାର ରାଜସ୍ୱ ।

ବିଏମ୍‌ସିକୁ ଘାରିଲା ରାଜସ୍ୱ ଚିନ୍ତା । ବକେୟା ପଡିଛି ୧୮କୋଟି ହୋଲ୍ଡିଂ ଟ୍ୟାକ୍ସ । ଆଦାୟ କରିବାକୁ କିନ୍ନରଙ୍କୁ ମିଳିଲା ଅନୁମତି । କିନ୍ନରଙ୍କ ମଧ୍ୟରେ ଖୁସିର ଲହରୀ । ହୋଲ୍ଡିଂ ଟ୍ୟାକ୍ସକୁ ନେଇ ବିବାଦର ସମାଧାନ ପରେ ଏବେ ବକେୟା ରାଜସ୍ୱ ସଂଗ୍ରହକୁ ନେଇ ଚିନ୍ତା । ରାଜସ୍ୱ ହ୍ରାସ ହେଲେ ବିକାଶରେ ସୃଷ୍ଟି ହେବ ବାଧା । ଏନେଇ ବକେୟା ରାଜସ୍ୱ ସଂଗ୍ରହ ପାଇଁ ଅଣ୍ଟା ଭିଡିଛି ବିଏମସି । ପୂର୍ବ ଭଳି ପୁଣି ସ୍ୱୀକୃତି ଓ ପରିଚୟ ଭଳି ଦୁଇଟି କିନ୍ନର SHGଙ୍କ ସହିତ ବିଏମସି କରିଛି ଚୁକ୍ତି । ପ୍ରତ୍ୟେକ SHG ଆଦାୟ କରିବେ ୯କୋଟି ଲେଖାଏଁ ବକେୟା ରାଜସ୍ୱ । ଏଥିପାଇଁ ବଡ ବଡ ଟିକସ ଖିଲାପିଙ୍କ ତାଲିକା ପ୍ରସ୍ତୁତ କରିଛି ବିଏମସି । କିନ୍ନରଙ୍କୁ ପୂର୍ବରୁ ସରକାରୀ ସ୍ତରରେ ବିଭିନ୍ନ ଯୋଜନାରେ ସାମିଲ କରି ସ୍ୱାବଲମ୍ୱୀ କରିବାକୁ ଉଦ୍ୟମ କରାଯାଇଛି । ରାଜସ୍ୱ ସଂଗ୍ରହ କରି କିନ୍ନରଙ୍କୁ ମିଳିବ କମିଶନ ।

କୋଭିଡ ପୂର୍ବରୁ ପ୍ରାୟ ସାଢେ ୩କୋଟି ଟଙ୍କାର ବକେୟା ରାଜସ୍ୱ ସଂଗ୍ରହ କରି ସଫଳତା ହାସଲ କରିଥିଲେ ଦୁଇଟି କିନ୍ନର ଗୋଷ୍ଠୀ । କେବଳ ଟିକସ ଆଦାୟ କ୍ଷେତ୍ରରେ ନୁହେଁ ବରଂ ପାର୍କିଂ ଆଦାୟ ଭଳି ଅନେକ କାର୍ଯ୍ୟ କିନ୍ନରଙ୍କୁ ସରକାର ଯୋଗାଇଛନ୍ତି । ଫଳରେ କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାରେ ବେଶ୍ ସହାୟକ ହୋଇପାରିଛି । ଯେଉଁଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ସମେତ ବିଏମସି କର୍ତ୍ତୃପକ୍ଷଙ୍କୁ ଧନ୍ୟବାନ ଦେଇଛନ୍ତି ଉଭୟ କିନ୍ନର ଗୋଷ୍ଠୀ । କିନ୍ନରଙ୍କୁ ବକେୟା ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ବିଏମସିର ୩ଟି ଯୋନର ସମସ୍ତ ଓ୍ୱାର୍ଡ ଅଫିସର ସହଯୋଗ କରିବେ । ବୁଧବାର ଠାରୁ ଆରମ୍ଭ ହେବ ଏହି ଅଭିଯାନ ।

Leave a Reply