ଟ୍ରାନ୍ସଫରମିଂ ଓଡ଼ିଶା କନକ୍ଲେଭ-୨୦୨୩ର ଦ୍ୱିତୀୟ ସଂସ୍କରଣ ଆୟୋଜିତ, ଓଡ଼ିଶାର ପ୍ରଗତିରେ ଶତମୁଖ ନିବେଶକ ଓ ବୈଷୟିକ ବିଶେଷଜ୍ଞ

1 min read

ଭୁବନେଶ୍ୱର: ଓଡ଼ିଶା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଦି ଇକୋନୋମିକ୍‌ ଟାଇମ୍ସର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରସ୍ଥିତ ହୋଟେଲ“ଭିଭାନ୍ତା’ ଠାରେ “ଟ୍ରାନ୍ସଫରମିଂ ଓଡ଼ିଶା କନକ୍ଲେଭ”ର ଦ୍ୱିତୀୟ ସଂସ୍କରଣ ଆୟୋଜନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥ ଭାବେ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିବା ସହିତ ଭିଡିଓ ବାର୍ଭା ମାଧ୍ଯମରେ ଶୁଭେଛା ଜଣାଇଥିଲେ । ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ସେ ସମସ୍ତ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଥିଲେ । ସମାରୋହରେ ଯୋଗଦେଇଥିବା ପ୍ରତିନିଧି ଓ ଅଂଶ ଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଦଶନ୍ଧି ମଧ୍ଯରେ ଓଡ଼ିଶା ଭାରତର ଏକ ଅଗ୍ରଣୀ ଅଭିନବ କେନ୍ଦ୍ର ଏବଂ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ଭାବରେ ଉଭା ହୋଇଛି । ଇନଫୋସିସ୍‌, ଟିସିଏସ୍‌, ଟେକ୍‌ ମହିନ୍ଦ୍ରା ଭଳି ବଡ଼ ବଡ଼ ଆଇଟି କମ୍ପାନି ରାଜ୍ୟରୁ ସଫ୍ଟଓ୍ୱେର ରପ୍ତାନୀରେ ଯୋଗଦାନ କରୁଥିବାରୁ ବର୍ଷ ବର୍ଷ ଧରି ସେମାନେ କ୍ରମାଗତ ଭାବେ ଅଭିବୃଦ୍ଧି କରୁଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ଅନେକ ଘରୋଇ ଆଇଟି କଂପାନି ବ୍ୟବସାୟିକ ପରିପକ୍କତା, ବଜାର ଅଧିଗ୍ରହଣ ଏବଂ ଗୁଣାତ୍ମକମାନ ଦୃଷ୍ଟିରୁ ମୂଲ୍ୟ ଶୃଙ୍ଖଳାରେ ଉନ୍ନତି ଆଣିଛନ୍ତି । ଏହା ରାଜ୍ୟର ଆଇଟି କ୍ଷେତ୍ରର ରୂପାନ୍ତରଣର ଏକ ସ୍ପଷ୍ଟ ସଙ୍କେତ । ସୂଚନା ପ୍ରଯୁକ୍ତି ବିଦ୍ୟା ପାଇଁ ଆମର ପ୍ରଗତିଶୀଳ ନୀତି ଢାଞ୍ଚା ଅନେକ ଆଗଧାଡ଼ିର ଆଇଟି ଏବଂ ଆଇବିଏମ, ଡେଲୋଇଟ୍‌ ଏବଂ କନସେଣ୍ଟ୍ରିକ୍ସ ଭଳି ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକୁ ରାଜ୍ୟକୁ ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କି, ଆମ ରାଜ୍ୟର ଯୁବକ ଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା ଉପରେ ସରକାର ଗୁରୁତ୍ବ ଦେଉଛି । ରାଜ୍ୟକୁ ୧୦ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ଆକୃଷ୍ଟ କରିବାରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ୨୦୨ ୨ର ବଡ଼ ସଫଳତା, ପ୍ରକୃତରେ ଓଡ଼ିଶାର ପରିବର୍ତ୍ତନ ଏବଂ ନୂତନ ଓଡ଼ିଶାର ଆଗମନକୁ ଦର୍ଶାଉଛି । ବିଶ୍ବସ୍ତରୀୟ ଦକ୍ଷତା, ନୂଆ ଦକ୍ଷତା ଏବଂ ଉନ୍ନତ ଦକ୍ଷତା କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆମର ପ୍ରତିଭା ସମ୍ବଳମାନକୁ ଗୁଣାତ୍ମକ ଏବଂ ସଂଖ୍ୟାତ୍ମକ ଭାବରେ ସୁଦୃଢ଼ କରୁଛୁ , ଯାହା ଦ୍ବାରା ଶିଳ୍ପକୁ ମାନବ ସମ୍ବଳ ନିଯୁକ୍ତି ପାଇଁ ଅଧିକ ଦୂରକୁ ଚାହିଁବାକୁ ପଡିବ ନାହିଁ । ସ୍କିଲ୍ ଇନ୍ ଓଡ଼ିଶା ଆଜି ଶିଳ୍ପ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଉଭୟ ସ୍ବଳ୍ପ କାଳୀନ ଓ ଦୀର୍ଘମିଆଦୀ ପାଠ୍ୟକ୍ରମରେ ପ୍ରାୟ ୧୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯାଇଛି । ରାଜ୍ୟ ସରକାରଙ୍କଦ୍ୱାରା ଅନେକ ଲୋକାଭିମୁଖୀ ଯୋଜନାରେ ପ୍ରକୃତ ହିତାଧିକାରୀମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଡିଜିଟାଲ ମାଧ୍ଯମକୁ ଗୁରୁତ୍ବ ଦିଆଯାଉଛି । ପ୍ରକୃତ ହିତାଧିକାରୀ ଚିହ୍ନଟ କରିବା ଏବଂ ସେମାନଙ୍କୁ ବିଭିନ୍ନ ଯୋଜନାର ଅନ୍ତର୍ଭୁକ୍ତ କରାଇବା ପାଇଁ ରାଜ୍ୟସରକାର ନିରନ୍ତର ଚେଷ୍ଟିତ । ତୃଣମୂଳ ସ୍ତରରେ ସରକାରୀ ଯୋଜନା ଉପଲବ୍ଧ କରାଇ ଲୋକଙ୍କ ଜୀବନଶୈଳୀରେ ଅନେକ ଉନ୍ନତି ଓ ପରିବର୍ତ୍ତନ କରାଯାଉଛି । ସାଧାରଣ ଲୋକଙ୍କ ଜୀବନରେ ହେଉଥିବା ଏହି ବାସ୍ତବ ଉନ୍ନତି ଓ ପରିବର୍ତ୍ତନକୁ ସାମାଜିକ ପ୍ରଗତି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଉଦଘାଟନୀ ଉତ୍ସବରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ରୀଡା ଓ ଯୁବସେବା ତଥା ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ଯକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ସ୍ବତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା, ଓଡ଼ିଶା କମ୍ପୁଟର ଆପ୍ଲିକେଶନ ସେଣ୍ଟରର ସିଇଓ ମନୋଜ ପଟ୍ଟନାୟକ, ଦି ଇକୋନୋମିକ୍‌ ଟାଇମ୍ସର ସମ୍ପାଦକ ଅନୁପ ବର୍ମା ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଇଣ୍ଡିଆ ଇଲେକ୍ଟ୍ର।ନିକ୍ସ ସେମି କଣ୍ଡକ୍ଟର ଆସୋସିଏସନ ମଧ୍ଯରେ ଏକ ବୁଝାମଣାପତ୍ର(ଏମଓୟୁ) ସ୍ବାକ୍ଷରିତ ହୋଇଥିଲା । ଏହାଦ୍ବାରା ଓଡ଼ିଶାରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ନବସୃଜନ ବୃଦ୍ଧି ଏବଂ ଓଡ଼ିଶାକୁ ଜାତୀୟ ସ୍ତରରେ ସୂଚନା ପ୍ରଯୁକ୍ତିବିଦ୍ୟାର ପ୍ରମୁଖ କେନ୍ଦ୍ରରେ ପରିଣତ କରିବା କ୍ଷେତ୍ରରେ ସହାୟକ ହେବ । ଆହୁରି ମଧ୍ଯ କନକ୍ଲେଭରେ ଭିଏଲଏସଆଇ ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ଓଡିଶା ଚାପ୍ଟର ଆରମ୍ଭ ଘୋଷଣା କରାଯାଇଥ୍ବଲା |

ଏହି ସମାବେଶରେ ରାଜ୍ୟ ତଥା ରାଜ୍ୟ ବାହାରୁ ୨୫ରୁ ଉର୍ଦ୍ଧ ବକ୍ତା ଏବଂ ୪୦ ୦ରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେଇଥିଲେ । ଏହି ସମାବେଶରେ ୫ ଗୋଟି ଆଲୋଚନା ଚକ୍ର, ଯଥା- ଓଡ଼ିଶାର ଡିଜିଟାଲ ସମ୍ପ୍ରସାରଣ କ୍ଷେତ୍ରରେ ଥିବା ଆହ୍ଵାନ ଓ ସୁଯୋଗ, ଆଇଟି ଏବଂ ଇଏସଡିଏମ୍‌ ଇକୋସିଷ୍ଟମର ବ୍ୟାପକ ସମ୍ପ୍ରସାରଣ, ସେମିକଣ୍ଡକ୍ଟର କମ୍ପାନୀ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି, ସାଇବର ସୁରକ୍ଷା, ମୂଲ୍ୟବାନ୍‌ ସରକାରୀ ତଥ୍ୟର ସୁରକ୍ଷା, ଜନସେବାରେ ଉନ୍ନତ ଜ୍ଞାନକୌଶଳର ବ୍ୟବହାର, ସ୍ବାସ୍ଥ୍ୟସେବାରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ସମ୍ପର୍କରେ ଆଲୋଚନା କରାଯାଇଥିଲା ।