ନୂଆ ରୂପ ପାଇଛି ସୁବର୍ଣ୍ଣପୁର ସ୍ବର୍ଗଦ୍ବାର, ଶବ ସତ୍କାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ସୋନପୁର: ସୁବର୍ଣ୍ଣପୁର ଦେଇ ପ୍ରବାହିତ ମହାନଦୀ, ତେଲ ନଦୀ ଓ କର୍ପୂର ନଦୀର ତ୍ରିବେଣୀ ସଙ୍ଗମରେ ରହିଛି ସ୍ବର୍ଗଦ୍ବାର । ବାବା ରାମେଶ୍ବରଙ୍କ ପ୍ରାଚୀନ ଶୈବପୀଠରେ ଥିବା ଏହି ସ୍ବର୍ଗଦ୍ବାରରେ ଶବ ସତ୍କାର କଲେ ସ୍ବର୍ଗପ୍ରାପ୍ତି ହୋଇଥାଏ ବୋଲି ରହିଛି । ଏଥିପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକେ ସେମାନଙ୍କ ଆତ୍ମୀୟଙ୍କ ସତ୍କାର ପାଇଁ ଏଠାକୁ ଆସିଥାନ୍ତି । ଏବେ ରାଜ୍ଯ ସରକାରଙ୍କ ରୂପାନ୍ତରଣ ସ୍ପର୍ଶରେ ବଦଳିଛି ସ୍ଵର୍ଗଦ୍ଵାରର ରୂପରେଖ । ଶବ ସତ୍କାର ପିଣ୍ଡି, ପ୍ରତୀକ୍ଷା ଗୃହ ଓ ଅସ୍ଥି ରଖିବା ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଏଥିସହ ଶବ ସତ୍କାର ପାଇଁ ଆସୁଥିବା ଲୋକଙ୍କ ପାଇଁ ସମସ୍ତ ବ୍ଯବସ୍ଥା କରାଯାଇଛି ।

ପ୍ରତିଦିନ ଏଠାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଲୋକ ଶବ ସତ୍କାର ପାଇଁ ଆସୁଛନ୍ତି । ସ୍ୱର୍ଗଦ୍ୱାରଟି ପ୍ରାୟ ଏକ ଏକର ଜାଗାରେ ନିର୍ମିତ ହୋଇଥିବା ବେଳେ ଏହାର ରୂପାନ୍ତରଣ ପାଇଁ ପଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ ଚେଷ୍ଟାରେ ସମ୍ପୂର୍ଣ୍ଣ ହୋଇପାରିଛି ବୋଲି ସୋନପୁର ପୌର ପରିଷଦ ଅଧକ୍ଷା ତାମସୀ ତାମସ୍ମିତା ନାୟକ କହିଛନ୍ତି । ଏହି ସ୍ବର୍ଗଦ୍ବାରର ସୁପରିଚାଳନା ପାଇଁ ସୋନପୁର ପୌର ପରିଷଦକୁ ଦାୟିତ୍ୱ ଦିଆଯାଇଛି ।