ବଢୁଛି ପ୍ରୋବେସନାରୀ ଆଇଏଏସ ଅଫିସର ପୂଜା ଖେଡକରଙ୍କ ଅଡୁଆ

ନୂଆଦିଲ୍ଲୀ : ବଢିବାରେ ଲାଗିଛି ପ୍ରୋବେସନାରୀ ଆଇଏଏସ ଅଫିସର ପୂଜା ଖେଡକରଙ୍କ ଅଡୁଆ । ତାଙ୍କ ବିରୋଧରେ ତଦନ୍ତ ଲାଗି କେନ୍ଦ୍ର ସରକାର ଗଠନ କରିଛନ୍ତି ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଜଣିକିଆ କମିଟି । ଆସନ୍ତା ଦୁଇ ସପ୍ତାହ ମଧ୍ଯରେ ଏହି କମିଟି ରିପୋର୍ଟ ଦେବ । ସର୍ବଭାରତୀୟ ରାଙ୍କ ୮୨୧ ରଖିଥିବା ଏହି ଅଧିକାରୀ ଏବେ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି ।

ତେଣେ ଗତ ୨୦୨୩ରେ ପୂଜାଙ୍କ ମା ପୁଣେର ମୁଲସି ତହସିଲରେ ଜଣେ କୃଷକଙ୍କୁ ପିସ୍ତଲରେ ଧମକ ଦେଉଥିବାର ଭିଡିଓ ଭାଇରାଲ ହୋଇଛି । ଏକ ଜମି ବିବାଦକୁ ନେଇ ସେ ପିସ୍ତଲ ଦେଖାଉଥିବା ଭିଡିଓରେ ରହିଛି । ପୁଣେର ମୁଲସି ତହସିଲରେ ପୂଜାଙ୍କ ପରିବାର ୨୫ ଏକର ଜମି କ୍ରୟ କରିଥିଲେ । ପରେ ଏହାକୁ ନେଇ ବିବାଦ ଉପୁଜିଥିଲା । ପୂଜାଙ୍କ ନାମରେ ୨୨ କୋଟି ଟଙ୍କାର ସମ୍ପତ୍ତି ଅଛି ଏବଂ ତାଙ୍କ ନାମରେ ୨୧ଟି ଟ୍ରାଫିକ ଉଲ୍ଲଂଘନ ମାମଲା ପଡିଥିବା ସୂଚନା ମିଳିଛି। ସମ୍ପତ୍ତି ମଧ୍ଯରେ ରହିଛି ୫ଟି ପ୍ଲଟ ଓ ୨ଟି ଆପାର୍ଟମେଣ୍ଟ ।