କାହିଁକି ଲାଇନଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ?

1 min read

କଟକ : କାହିଁକି ଲାଇନଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ? କଟକ ମଙ୍ଗୁଳି ଷ୍ଟେସନରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନଚ୍ୟୁତ ହେବାର କାରଣ କଣ? ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ହେବାର କାରଣ ଖୋଜିବା ପାଇଁ  ରେଳ ବିଭାଗର ଏକ କମିଟି  ଗଠିତ ହୋଇଛି । କମିଟି ତଦନ୍ତ କରି ରିପୋର୍ଟ ଦେବ ।  ତଦନ୍ତ କମିଟି ଦେଇଥିବା ରିପୋର୍ଟକୁ ରେଳ ମନ୍ତ୍ରଣାଳୟ କେତେ ଗୁରୁତର ସହ ନେବ ତାହା ଭିନ୍ନକଥା । କିନ୍ତୁ, ରେଳ ବିଭାଗର ଅବହେଳା ଯୋଗୁ ଯେ ବାରମ୍ବାର ରେଳ ଦୂର୍ଘଟଣା ଘଟୁଛି- ଏହା ସ୍ପଷ୍ଟ । ଜୁନ ୨୦୨୩ରେ ବାଲେଶ୍ବର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ମନରୁ ନଲିଭିଣୁ, ଆଜିର ଏ ଟ୍ରେନ ଦୁର୍ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି ।

ଆଜିର ଦୁର୍ଘଟଣାର ପାରିପାଶ୍ବିକ ସ୍ଥିତି ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ- ରେଳଧାରଣାଗୁଡିକର ସଠିକ ରକ୍ଷଣାବେକ୍ଷଣ କରାଯାଉନାହିଁ । ବର୍ଷବର୍ଷ ଧରି ନୂଆ ରେଳଧାରଣା ପକାଯାଉନାହିଁ । ଏପରିକି ରେଳଧାରଣା ମଧ୍ୟରେ ଥିବା ପଥର ଗେଟି, ସିମେଣ୍ଟ ସ୍ଲାବର ମଧ୍ୟ ପରିବର୍ତ୍ତନ କରାଯାଉନାହିଁ । ନିୟମିତ ବ୍ୟବଧାନରେ ରେଳ ଧାରଣାର ଯାଞ୍ଚ ଓ ଖାମଖିଆଲି ମନୋଭାବ ଯୋଗୁ ରେଳଯାତ୍ରୀଙ୍କ ଜୀବନ ବିପଦରେ ପଡୁଛି । ଆଜି ମଧ୍ୟ ଦୁର୍ଘଟଣାର ଦୀର୍ଘ ସମୟ ପର୍ଯ୍ୟନ୍ତ ରେଳ ବିଭାଗ ମୃତାହତଙ୍କ ସଠିକ ସୂଚନା ଦେବାକୁ ଅସମର୍ଥ ହୋଇଥିଲା । ରେଳବାଇ ମୃତାହତଙ୍କ ସଂଖ୍ୟା ଲୁଚାଇବାକୁ ଚାହୁଁଥିଲା ନା, କାହା ଚାପରେ ସଂଖ୍ୟା କହୁନଥିଲା ତାକୁ ନେଇ ଉଠିଛି ପ୍ରଶ୍ନ । ବ୍ୟବସ୍ଥାଗତ ତୃଟି ଯୋଗୁ ଏଭଳି ଦୂର୍ଘଟଣାର ମୁଖ୍ୟ କାରଣ ବୋଲି ରେଳ ସୁରକ୍ଷା ବିଶେଷଜ୍ଞ କହିଛନ୍ତି ।