ରେଳ ଦୁର୍ଘଟଣା ପରେ ତାମିଲନାଡ଼ୁରେ ଦିନିକିଆ ଶୋକ ଦିବସ ଘୋଷଣା

ଚେନ୍ନାଇ: ବାଲେଶ୍ୱର ବାହାନଗା ଭୀଷଣ ରେଳ ଦୁର୍ଘଟଣା ପରେ ତାମିଲନାଡ଼ୁରେ ଦିନିକିଆ ଶୋକ ଦିବସ ପାଳନ ହେଉଛି । ରାଜ୍ୟବ୍ୟାପି ଶୋକ ଦିବସ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଘୋଷଣା କରିଛନ୍ତି । ସୂଚନାଯୋଗ୍ଯ ଯେ ଏହି ଦୁର୍ଘଟଣାରେ ଶେଷ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ଯା ୨୮୮ରେ ପହଞ୍ଚିଛି । ତେବେ ଆଗକୁ ଏହି ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଭିଡିଓ କନଫରେନ୍ସିଂ ଜରିଆରେ ଦୁର୍ଘଟଣା ବିଷୟରେ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ସହିତ କଥା ହୋଇଛନ୍ତି ।

ଶୁକ୍ରବାର ଦିନ ହୋଇଥିବା ଏହି ଦୁର୍ଘଟଣାକୁ ଚଳିତ ଦଶକର ସବୁଠାରୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି । ଏହି ଟ୍ରେନ୍ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ଅନ୍ୟପକ୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାଉଣ୍ଡ୍ ଜିରୋରେ ପହଂଚି ଉଦ୍ଧାର ଅଭିଯାନର ତଦାରଖ କରିଛନ୍ତି । ଘଟଣାସ୍ଥଳରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ କଥା ହୋଇ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଆଗରୁ ରାଜ୍ୟ ସରକାର ଦିନିକିଆ ଶୋକଦିବସ ପାଳନ କଥା ଘୋଷଣା କରିଛନ୍ତି ।