ଗଡ଼ିଲା ଟ୍ରେନ୍ ତଥାପି ସରିନି ଯାତ୍ରୀଙ୍କ ଦୁଃଖ

ଭୁବନେଶ୍ବର: ବାହାନଗା ପରେ ପୁଣି ଏକ ଟ୍ରେନ ବିଭିଷିକା । ଲୌହ ମାନବର ରକ୍ତଭୋଜିରେ ଚାଲିଗଲା ୧୩ ଜଣଙ୍କ ଜୀବନ । ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା । ଗତକାଲି ରାତିରେ ଏହି ଦୁର୍ଘଟଣା ଯୋଗୁଁ ରେଳ ବିଭାଗ ୪୫ଟି ଟ୍ରେନ୍ ବାତିଲ କରିଥିବାବେଳେ ୨୬ଟି ଟ୍ରେନର ରୁଟ୍ ପରିବର୍ତ୍ତନ ହୋଇଛି । ୨୩ ଘଣ୍ଟା ପରେ ରେଳଚଳାଚଳ ଆରମ୍ଭ ହୋଇଥିଲେ ସୁଦ୍ଧା ଟ୍ରେନ ବାତିଲ ଯୋଗୁଁ ହନ୍ତସନ୍ତ ହୋଇଛନ୍ତି ଯାତ୍ରୀ।

ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ନେଇଗଲା ୧୩ ଜୀବନ । ଦୁର୍ଘଟଣାରେ ୫୦ରୁ ଅଧିକ ଆହତ ହୋଇଥିବାବେଳେ ୨୯ ଜଣଙ୍କ ଏବେବି ଚାଲିଛି ଚିକିତ୍ସା । ଦୁର୍ଘଟଣା ପରେ ରେଳ ବିଭାଗ ପକ୍ଷରୁ ୪୫ ଟ୍ରେନ ବାତିଲ ହୋଇଥିବାବେଳେ ୨୬ଟି ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି । ଫଳରେ ସବୁ ଷ୍ଟେସନରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଭୁବନେଶ୍ବର ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା । ଧଉଳି ଏକ୍ସପ୍ରେସ ଷ୍ଟେସନରେ ପହଞ୍ଚିବା ପରେ ଚଢିବା ପାଇଁ ଯାତ୍ରୀଙ୍କ ଭିତରେ ଲାଗିଥିଲା ପ୍ରତିଯୋଗିତା । ଏପରିକି ଟିକେଟ୍ କରିଥିବା ଯାତ୍ରୀ ଟ୍ରେନରେ ଚଢି ପାରି ନଥିଲେ । କିଛି ସମୟ ପାଇଁ ଉତ୍ତେଜନା ଓ ହାତାହାତି ପରିସ୍ଥିତି ସୃଷ୍ଟିହୋଇଥିଲା । ଲୋକାଲ ବସ ପରି ଯାତ୍ରୀ ଗେଟ ପାଖରେ ଓହଳି ଯାତ୍ରା କରିଥିଲେ ।

ପୂଜା ପାଇଁ ଅନେକ ଲୋକ ଘରକୁ ଆସିଥିଲେ । ଛୁଟି ସରିବା ପରେ ଟ୍ରେନରେ କରିଥିଲେ ଟିକେଟ୍ । ହେଲେ ଟ୍ରେନ ବାତିଲ ଯୋଗୁଁ ଷ୍ଟେସନରେ ଅଟକି ରହିଥିଲେ ଅନେକ ଯାତ୍ରୀ । କଟକ ରେଳ ଷ୍ଟେସନରେ ଏନକ୍ବାରୀ କାଉଣ୍ଟର ନିକଟରେ ଟ୍ରେନ ସମ୍ପର୍କରେ ସୂଚନା ପାଇଁ ଯାତ୍ରୀଙ୍କ ଭିଡ଼ ଜମିଥିଲା । ସେପଟେ ବାଲେଶ୍ବରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଟ୍ରେନ ବିଳମ୍ବ ପାଇଁ ଘଣ୍ଟାଘଣ୍ଟା ଧରି ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ ଯାତ୍ରୀ । ଦୁଇ ଦୁଇଟି ଦୁର୍ଘଟଣା ଯାତ୍ରୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିଥିବାବେଳେ ଦୂରକୁ ଯିବାକୁ ହେଲେ ଟ୍ରେନ ଏକମାତ୍ର ମାଧ୍ୟମ ହୋଇଥିବାରୁ ବାଧ୍ୟ ହୋଇ ଯିବାକୁ ପଡୁଥିବା କହିଥିଲେ ଯାତ୍ରୀ ।

ଏହି ଟ୍ରେନ ବିଭିଷିକା ଅନେକ ମନରେ ସୃଷ୍ଟି କରିଛି ଆତଙ୍କ । ବଞ୍ଚିଯାଇଥିବା କିଛି ଯାତ୍ରୀ ରାଜପଥକୁ ଆସି ବସ ଯୋଗେ ରାୟଗଡ଼ା ଫେରିଛନ୍ତି । ଏଥିପାଇଁ ତାଙ୍କୁ ସ୍ଥାନୀୟ ଲୋକେ ସହାୟତା କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାୟଗଡ଼ାରେ ପହଞ୍ଚିବା ପରେ ବର୍ଣ୍ଣନା କରିଛନ୍ତି ସେହି ଲୋମଟାଙ୍କୁରା ଦୃଶ୍ୟ । ଦୁର୍ଘଟଣାରେ ୨୩ ଘଣ୍ଟା ପରେ କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ଦେଇ ରେଳ ଚଳାଚଳ ଆରମ୍ଭ ହୋଇଛି । ହେଲେ ଏହି ଦୁର୍ଘଟଣା ଅନେକଙ୍କୁ ଦେଇଛି ଦୁଃଖ ।