ଟ୍ରେନ ରହଣୀକୁ ନେଇ ଉତ୍ତେଜନା, ସିଗନାଲ ରୁମରେ ତାଲା ପକାଇଦେଲେ ଲୋକେ

ସମ୍ବଲପୁର: ଏକ୍ସପ୍ରେସ ଟ୍ରେନ ରହଣୀକୁ ନେଇ ବାମରା ଷ୍ଟେସନରେ ଉତ୍ତେଜନା । ସିଗନାଲ ରୁମରେ ତାଲା ପକାଇଦେଲେ ଉତ୍ତ୍ୟକ୍ତ ଲୋକ । ଫଳରେ ଉଭୟ ପଟୁ କୌଣସି ଟ୍ରେନ ଯାତାୟତ ହୋଇପାରୁନି । ସିଗନାଲ ନଥିବାରୁ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ ଅଟକି ରହିଛି । ସିଗନାଲ ନମାନି କୌଣସି ଟ୍ରେନ ଆଗକୁ ବଢିଲେ ବଡ଼ ଅଘଟଣ ହେବାର ଆଶଙ୍କା ରହିଛି । ସ୍ଥିତିକୁ ଦେଖି ୩ଟି ଟ୍ରେନ ବାତିଲ ହୋଇଥିବାବେଳେ ଅନେକ ଟ୍ରେନର ଦିଗ ବଦଳାଯାଇଛି ।

ଉତ୍ତ୍ୟକ୍ତ ଲୋକଙ୍କୁ ସକାଳୁ ଏଯାଏ ସ୍ଥାନୀୟ ପୋଲିସ ଓ ପ୍ରଶାସନ ବୁଝାସୁଝା କଲା ପରେ ମଧ୍ୟ ସ୍ଥିତିରେ କୌଣସି ସୁଦ୍ଧାର ଆସିନି । ପୋଲିସ ସହ ଯୁକ୍ତିତର୍କ କରି ଟେକା ପଥର ମାରିଥିଲେ ଆନ୍ଦୋଳନକାରୀ । ପୋଲିସ ଗାଡିର କାଚ ଭାଙ୍ଗିବା ପରେ ପୋଲିସ ପ୍ରଥମେ ମୃଦୁ ଲାଠି ଚାଳନା କରିଥିଲା । ଏବେ ମଧ୍ୟ ଘଟଣାସ୍ଥଳରେ ଆରପିଏଫ, ଜିଆରପି ଓ ସ୍ଥାନୀୟ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାରେ ଲାଗିଛନ୍ତି । ସେପଟେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନର ଚିନ୍ତା ବଢିଛି ।

ରେଳ ଚଳାଚଳ ସ୍ବାଭାବିକ ପାଇଁ ସମସ୍ତ ଉଦ୍ୟମ କରାଯାଉଛି । ଗତକାଲି ଏକ୍ସପ୍ରେସ ଟ୍ରେନ ରହଣୀ ଦାବି କରି ସ୍ଥାନୀୟ ଲୋକେ ରେଳରୋକ କରିଥିଲେ । ସମସ୍ତ ଏକ୍ସପ୍ରେସ ଟ୍ରେନ ରହିବ ବୋଲି ଡିଆରଏମ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ଟ୍ରେନ ନ ଅଟକିବାରୁ ରେଳ ଷ୍ଟେସନରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଗତକାଲିର ପ୍ରତିଶ୍ରୁତିକୁ ଡିଆରଏମ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି । ନିଷ୍ପତ୍ତି ପ୍ରତ୍ୟାହାର ପରେ ଲୋକମାନେ ସିଗନାଲ ରୁମରେ ତାଲା ପକାଇଦେଇଛନ୍ତି