ମହିପାଣି ହାତୀ ମୃତ୍ୟୁ ଘଟଣା, ଗିରଫ ହେବେ ଟ୍ରେନ୍‌ ଡ୍ରାଇଭର

Elephant Death

ରାଉରକେଲା: ବିଶ୍ରା ମହିପାଣି ନିକଟରେ ଟ୍ରେନ ଧକ୍କାରେ ଦୁଇ ହାତୀ ମୃତ୍ୟୁ ବରଣ କରିବା ଘଟଣା । ବନ ଵିଭାଗର ତଦନ୍ତ ପରେ ଟ୍ରେନ ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ । ଶୁକ୍ରବାର ଟ୍ରେନ ଡ୍ରାଇଭରଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଥିଲା । ଗୁରୁବାର ବନ ବିଭାଗ ଦ୍ୱାରା ଅଟକ ଥିବା ଟ୍ରେନ ଡ୍ରାଇଭରଙ୍କୁ କିଛି ରେଲୱେ କର୍ମଚାରୀ ଜବରଦସ୍ତ ଛଡାଇ ନେଇଥିବା ବନ ବିଭାଗ ପକ୍ଷରୁ ଅଭିଯୋଗ ହୋଇଥିଲା ।

ଟ୍ରେନ୍‌ ଡ୍ରାଇଭରଙ୍କୁ ବନ ବିଭାଗ ନିକଟରେ ହାଜର କରିବା ପାଇଁ ଏଆର୍‌ଏମ୍‌ଙ୍କୁ ଚିଠି କରିଛି ବନ ବିଭାଗ । ଆଜି ଟ୍ରେନ୍‌ ଡ୍ରାଇଭର ହାଜର ହେଲେ ବନ ବିଭାଗ ଦ୍ୱାରା ଗିରଫ ହେବେ । ଘଣ୍ଟା ପ୍ରତି ୮୦ କିଲୋମିଟରରୁ ଅଧିକ ବେଗରେ ଟ୍ରେନ ଡ୍ରାଇଭର ଟ୍ରେନ ଚଳାଉ ଥିବାରୁ ଦୁଇ ହାତୀ ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଥିବା ବନ ବିଭାଗ ତଦନ୍ତରୁ ଜଣାପଡିଛି । ଏନେଇ ରାଉରକେଲା ଏସିଏଫ୍‌ ଟଙ୍କଧର ବେହେରାଙ୍କ ସୁଚନା ।

ତେବେ ରାତି ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ ୧୪ ଟିକିଆ ହାତୀପଲ ମହିପାଣିରୁ ଝାଡ଼ଖଣ୍ଡ ସଂରଷିତ ଜଙ୍ଗଲକୁ ଯାଉଥିବା ବେଳେ ପାର୍ସଲ ଟ୍ରେନ ଦୁଇ ହାତୀଙ୍କୁ ଧକ୍କା ଦେଇଥିଲା । ମୃତ ଦୁଇ ମାଈ ହାତୀଙ୍କ ମଧ୍ୟରୁ ଗୋଟିଏ ହାତୀ ୧୫ ବର୍ଷରୁ ଅଧିକ ଓ ଅନ୍ୟ ହାତୀଟି ୮ ବର୍ଷରୁ ଅଧିକ ବୟସର ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply