ଟ୍ରେନ ଦୁର୍ଘଟଣା: ଟ୍ରକକୁ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା ଦ୍ରୁତବେଗରେ ଆସୁଥିବା ଟ୍ରେନ!

ମହାରାଷ୍ଟ୍ରର ଜଲଗାଓଁରେ ଘଟିଯାଇଛି ଏକ ଟ୍ରେନ ଦୁର୍ଘଟଣା । ଏକ ଗହମ ବେଝେଇ ଟ୍ରକ ରେଲଓ୍ବେ ଫାଟକ ଭାଙ୍ଗି ଟ୍ରାକ ଉପରେ ଚଢ଼ିଯାଇଥିଲା । ଏହି ସମୟରେ ଦୁର୍ଭାଗ୍ୟକୁ ଟ୍ରେନ ଆସିଯାଇଥିଲା । ଟ୍ରେନ ଚାଳକ ତୁରନ୍ତ ଏମର୍ଜେନ୍ସି ବ୍ରେକ ଲଗାଇଥିଲେ, ମାତ୍ର ତାହା ଅଟକି ନଥିଲା । ଟ୍ରେନ ଆଗରେ ଫସିଥିବା ଟ୍ରକଟି ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଚାଲିଯାଇଥିଲା । ଆଜି ସକାଳ ୪.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା କୁହାଯାଇଛି ।
ସୂଚନା ମୁତାବକ, ବୋଦବଡ ରେଳ ଷ୍ଟେସନ ନିକଟରେ ସକାଳ ୪.୩୦ ସମୟରେ ଅମରାବତୀ ଏକ୍ସପ୍ରେସ ଏକ ଗହମ ବୋଝେଇ ଟ୍ରକକୁ ଧକ୍କା ଦେବା ସହ ପାଖାପାଖି ଅଧ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଟ୍ରକ ଚାଳକ ବନ୍ଦ ରେଲଓ୍ବେ ଗେଟକୁ ଭାଙ୍ଗି ଟ୍ରାକ ପାର କରିବାକୁ ପ୍ରୟାସ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନକୁ ଦ୍ରୁତ ବେଗରେ ଆସି ଟ୍ରକକୁ ଟକ୍କର ଦେଇଥିଲା ।