ମାସେ ଘୁଞ୍ଚିଲା ସମୟ ସୀମା, ଡିସେମ୍ବର ୧ରୁ ମୋବାଇଲକୁ ଆସିବ ନାହିଁ ଅଯଥା ମେସେଜ
ନନ୍ଦିଘୋଷ ବ୍ୟୁରୋ: ଟେଲିକମ ଉପଭୋକ୍ତାଙ୍କ ସୁରକ୍ଷାକୁ ଗୁରୁତ୍ବ। ଓଟିପି ନେଇ ଟେଲିକମ ଅପରେଟରଙ୍କୁ ଭାରତର ଟେଲିକମ ନିୟାମକ କର୍ତ୍ତୃପକ୍ଷ ବା ଟ୍ରାଇ ପକ୍ଷରୁ ଦିଆଯାଇଥିବା ସମୟସୀମା ଘୁଞ୍ଚିଲା। ନଭେମ୍ବର ୧ରୁ ସେହି ତାରିଖକୁ ଡିସେମ୍ବର ୧କୁ ଘୁଞ୍ଚାଇଛି ଟ୍ରାଇ। ସେବାରେ ବ୍ଯାଘାତ ସୃଷ୍ଟି ହେବା ଦୃଷ୍ଟିରୁ ଟେଲିକମ କମ୍ପାନୀମାନଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ଟ୍ରାଇ ନେଇଛି। ଫଳରେ ଡିସେମ୍ବର ୧ରୁ ମୋବାଇଲକୁ ଅଯଥା ମେସେଜ ଆସିବ ନାହିଁ। ଅର୍ଥାତ ଯେଉଁ ସଂସ୍ଥା ପଞ୍ଜିକୃତ ହୋଇ ନଥିବେ ସେହି ସଂସ୍ଥାର ମେସେଜ ମୋବାଇଲକୁ ଆସିବ ନାହିଁ।
ବ୍ଯାବସାୟିକ ମେସେଜ, ଓଟିପିର ଆଦିର ଉତ୍ସ ସମ୍ପର୍କରେ ଜାଣିବା ସମ୍ପର୍କରେ ବ୍ଯବସ୍ଥା କରିବା ଲାଗି ଟେଲିକମ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲା ଟ୍ରାଇ। ସ୍ପାମ ଓ ବିଭ୍ରାନ୍ତିମୂଳକ ମେସେଜ ଉପରେ କଟକଣା ଲାଗି ଏହି ପଦକ୍ଷେପ ନେଇଥିଲା ଟ୍ରାଇ। ତେବେ ଏହି ଡେଡଲାଇନକୁ ଡିସେମ୍ବର ୧କୁ ଘୁଞ୍ଚାଯାଇଛି। ମେସେଜ ସର୍ଭିସ ଠିକଠାକ୍ କରିବା ଲାଗି ଅଧିକ ସମୟ ଦିଆଯାଇଛି। ନଭେମ୍ବର ୧ରୁ ଏହି ପଦକ୍ଷେପ ନିଆଗଲେ ସେବା ଗୁରୁତର ବାଧାପ୍ରାପ୍ତ ହେବ ବୋଲି ଦର୍ଶାଇଥିଲେ ଟେଲିକମ କମ୍ପାନୀ।
ଏହି ନିୟମ କାର୍ଯ୍ୟକାରୀ ହେଲେ ୧୪୦ରୁ ଆରମ୍ଭ ହେଉଥିବା ନମ୍ବରଗୁଡିକ ଡିଷ୍ଟର୍ବଡ ଲେଜର ଟେକ୍ନୋଲୋଜି ବା ଡିଏଲଟି ପ୍ଲାଟଫର୍ମକୁ ପରିବର୍ତ୍ତିତ ହେବ। ଫଳରେ ନିରାପତ୍ତା ଅଧିକ ହେବ। ଡିସେମ୍ବର ୧ ପରଠାରୁ ଅଣପଞ୍ଜିକୃତ ସେଣ୍ଡରମାନଙ୍କଠାରୁ ଆସୁଥିବା ଅନିୟନ୍ତ୍ରିତ ମେସେଜ ବ୍ଲକ ହେବ। ଏନେଇ ଦୈନିକ ଅପଡେଟ ଦାଖଲ କରିବେ ଟେଲିକମ ଅପରେଟର। ପ୍ରତିଦିନ ୧.୫ରୁ ୧.୭ ବିଲିୟନ କମର୍ସିଆଲ ମେସେଜ ଲୋକଙ୍କ ନିକଟକୁ ଯାଉଛି।