ପ୍ରେସର ହର୍ଣ୍ଣ ଲଗାଇ ପେଁ ପାଁ କଲେ କଟିବ ଫାଇନ
1 min readଭୁବନେଶ୍ବର : ରାଜଧାନୀ ରାଜରାସ୍ତାରେ ଚଳିବନି ମାମଲତି। ପ୍ରେସର ହର୍ଣ୍ଣ ଲଗାଇ ପେଁ ପାଁ କଲେ କଟିବ ଫାଇନ। ବସର ବିକଟାଳ ହର୍ଣ୍ଣରେ ଅତିଷ୍ଠ ହୋଇଥିଲେ ରାଜଧାନୀବାସୀ । ହର୍ଣ୍ଣର ଶବ୍ଦ ଏତେ ବିକଟାଳ ଓ ପ୍ରଚଣ୍ଡ ଯେ ସାଧାରଣ ଲୋକ ବି ପ୍ରଭାବିତ ହେଉଥିଲେ । ବିଶେଷକରି ବୃଦ୍ଧ, ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ଉପରେ ଏହାର ଅଧିକ କୁ-ପ୍ରଭାବ ପଡୁଥିଲା । ଶବ୍ଦ ପ୍ରଦୂଷଣ ନେଇ ବାରମ୍ବାର ଅଭିଯୋଗ ପରେ ଏବେ ଆକ୍ସନ ମୋଡ଼କୁ ଆସିଛି ଭୁବନେଶ୍ୱର ଟ୍ରାଫିକ ପୋଲିସ। ବାଣୀବିହାର ଛକରେ ହୋଇଛି ମାରାଥନ ଚେକିଂ । ଖୋଲାଯାଇଛି ପ୍ରେସର ହର୍ଣ୍ଣ । କଟାଯାଇଛି ମୋଟା ଅଙ୍କର ଫାଇନ । ଗତ ୩ ଦିନ ଧରି ଏଭଳି ଚେକିଂ ଚାଲିଥିବା ବେଳେ ଆଗାମୀ ଦିନରେ ଏହା ବଳବତ୍ତର ରହିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି । ସେପଟେ ପ୍ରେସର ହର୍ଣ୍ଣ ନବଜାଇଲେ ଲୋକେ ସାଇଡ ହେଉନାହାନ୍ତି ବୋଲି ଯୁକ୍ତି ବାଢିଛନ୍ତି ଗାଡି ଡ୍ରାଇଭର। ଗାଡି ଚେକିଂ ସହ ଏଭଳି ହର୍ଣ୍ଣ ବିକ୍ରି କରୁଥିବା ଦୋକାନରେ ଚଢ଼ାଉ ର ଆବଶ୍ୟକତା ଥିବା କହିଛନ୍ତି ବସ କର୍ମଚାରୀ ।
ଦୁଇଦିନ ତଳେ ରାସ୍ତାରେ ଯାଉଥିବା ରୋଡ଼ ରୋମିଓ ଙ୍କ ରଙ୍ଗୀନ ମିଜାଜକୁ ଫିକା କରିଦେଇଥିଲା ପୋଲିସ। ମଡିଫାଏଡ଼ ସାଇଲେନ୍ସର, ସ୍ପୀଡ଼ ଡ୍ରାଇଭିଂ, ରଙ୍ଗ ରୁଟ ଡ୍ରାଇଭିଂ, ଟ୍ରିପଲ ରାଇଡିଂ, ପଲ୍ୟୁସନ, ହେଲମେଟ ନିୟମ ମାନୁନଥିବା ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପେସାଦାର ଖିଲାପକାରୀଙ୍କ ଗାଡି ସିଜ କରାଯାଇଛି । ଚାଳକଙ୍କୁ ଫାଇନ ସହ ପିଆର ବଣ୍ଡ ରେ ଛଡ଼ାଯାଇଛି । କର୍କଶ ଶବ୍ଦ କରୁଥିବା ସାଇଲେନ୍ସର କଢ଼ାଯାଇଛି। ଦୁର୍ଘଟଣା ହାର ବଢିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିବା ସହ ପୋଲିସ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ଦିନରେ ରୋଡ଼ ସେଫଟି କ୍ୟାମ୍ପେନକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ବିଗତ ୧୦ ବର୍ଷରେ ରାଜ୍ୟରେ ୫୦ ହଜାରରୁ ଉର୍ଦ୍ଧ୍ବ ଦୁର୍ଘଟଣା ଘଟିଛି । ପାଣି ଫୋଟକା ଭଳି ଝଡି ପଡୁଛି ଜୀବନ। ସୁପ୍ରିମକୋର୍ଟ ରୋଡ଼ ସେଫଟି କମିଟିର ଉଦବେଗ ପରେ ଏବେ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ ।