ଭସାଣ ପାଇଁ ରାସ୍ତାରେ ଫସିଲେ ଲୋକେ, ପୋଲିସ ଭୋଜି ଖାଇବାରେ ବ୍ୟସ୍ତ !
1 min readଅନୁଗୋଳ: ଭସାଣ ପାଇଁ ଲୋକେ ହେଉଥିଲେ ହନ୍ତସନ୍ତ । ୪ ଘଣ୍ଟା ଧରି ଲାଗି ରହିଲା ଟ୍ରାଫିକ ଜାମ୍ । ରାସ୍ତାରେ ସାଧାରଣ ଲୋକଙ୍କ ସହ ଆମ୍ବୁଲାନ୍ସ ବି ଅଟକି ରହିଲା । ଏମିତି କି ସେଇ ବାଟ ଦେଇ ଯାଉଥିବା କଣ୍ଠଶିଳ୍ପୀ ଅସୀମା ପଣ୍ଡା ମଧ୍ୟ ଟ୍ରାଫିକ୍ ଜାମରେ ଫସିଥିଲେ । ହେଲେ ସେହି ସମୟରେ ପୋଲିସ ନିଜ କାମ ଛାଡି ଭୋଜି କରି ଖାଉଥିବାକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ । ଯାହାକୁ ନେଇ ଅନୁଗୋଳ ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।
ଅଭିଯୋଗ ଅନୁସାରେ ପୁରୁଣା ଅନୁଗୋଳ-କଟକ ଜାତୀୟ ରାଜପଥର ମହିଧରପୁର ଗାଁରେ ଗତକାଲି ସନ୍ଧ୍ୟାରେ କାର୍ତ୍ତିକେଶ୍ୱର ପୂଜାର ଭସାଣ ଉତ୍ସବ ଅନୁଷ୍ଠିତ ହେଉଥିଲା । ସେଥିପାଇଁ ରାସ୍ତା ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା । ଫଳରେ ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ । ଅନ୍ୟ କୌଣସି ବାଇପାସ ରାସ୍ତା ନଥିବାରୁ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲେ ଲୋକ । ସାଧାରଣ ଲୋକଙ୍କ କଥା ଛାଡ, ଏପରିକି ଆମ୍ବୁଲାନ୍ସ ଯିବା ପାଇଁ ମଧ୍ୟ ବାଟ ନଥିଲା । କଣ୍ଠଶିଳ୍ପୀ ଅସୀମା ପଣ୍ଡା ମଧ୍ୟ ଭିଟରେ ଫସିଥିଲେ । ଆଉ ଏହି ସମୟରେ ପୋଲିସ ଭୋଜି କରି ଖାଉଥିବା ଦେଖିବାକୁ ମିଳିଥିଲା । ଯାହାର ଲାଇଭ ସୋସିଆଲ ମିଡିଆରେ କରି କଣ୍ଠଶିଳ୍ପୀ ଦେଖାଇଥିଲେ ।
ଏବେ ପ୍ରଶ୍ନ ଉଠୁଛି, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଘଣ୍ଟା ଘଣ୍ଟା ଧରି ଜାମରେ ଫସିଥିବା ବେଳେ ପୋଲିସ କେମିତି ଭୋଜି କରି ଖାଉଥିଲା । ତେବେ ଭୋଜି ଅଭିଯୋଗକୁ ପୋଲିସ ପକ୍ଷରୁ ଖଣ୍ଡନ କରାଯାଇଛି । ଭସାଣ ପାଇଁ ଦିନ ୧୨ଟାରୁ ପୋଲିସ ମୁତୟନ ହୋଇଥିବାରୁ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଥିଲା । ଏମିତି ସମୟରେ ଭୋଜିଭାତ ହୋଇ ନଥାଏ ବୋଲି ଅନୁଗୋଳ ଏସଡିପିଓ ରମାକାନ୍ତ ମହାଳିକ କହିଛନ୍ତି । ଭସାଣ ବେଳେ ଓ୍ବାନ ଓ୍ବେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା । ଏହାସହ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଅଭିଯୋଗର ତଦନ୍ତ କରାଯାଉଛି ବୋଲି ମଧ୍ୟ ସେ କହିଛନ୍ତି ।