ଚନ୍ଦ୍ରରେ ବଢ଼ୁଛି ଭିଡ଼, ଉପୁଜିପାରେ ଟ୍ରାଫିକ୍ ଜାମ୍ ସ୍ଥିତି

1 min read

ନୂଆଦିଲ୍ଲୀ: ଆସନ୍ତା ସପ୍ତାହ ଇସ୍ରୋ ପାଇଁ ହେବ ସ୍ମରଣୀୟ । କାହିଁକି ନା ଆସନ୍ତା ସପ୍ତାହରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ତେବେ ଚନ୍ଦ୍ରରେ କେବଳ ଭାରତର ମିଶନ୍ ନୁହେଁ, ଅନେକ ମିଶନ ପୂର୍ବରୁ ଅଛି ଏବଂ ଅନେକ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି । ସମସ୍ତେ ଏବେ ଚନ୍ଦ୍ର ମୁହାଁ ହୋଇଛନ୍ତି । ସେଥିପାଇଁ ଚନ୍ଦ୍ରରେ ଏବେ ଉପୁଜିଛି ଟ୍ରାଫିକ୍ ଜାମ୍ ସ୍ଥିତି । ଭାରତ ଯେମିତି ଚନ୍ଦ୍ରଯାନ ପଠାଇଛି ସେମିତି ଅନ୍ୟ ଦେଶ ବି ସେମାନଙ୍କ ଚନ୍ଦ୍ର ଅଭିଯାନ ଜାରି ରଖିଛନ୍ତି । ଚନ୍ଦ୍ରର କକ୍ଷପଥରେ ଅନ୍ୟ ଦେଶର ଅନେକ ମିଶନ ଅଛି ଯାହା ଶୀଘ୍ର ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାକୁ ଯାଉଛି ।

ଏକ ରିପୋର୍ଟ ଅନୁସାରେ, ଚନ୍ଦ୍ର କକ୍ଷ ପଥରେ ଏବେ ୬ଟି ସକ୍ରିୟ ମିଶନ ରହିଛି । ଆମେରିକା, ରୁଷିଆ, ଚୀନ୍, ଭାରତ ଓ କୋରିଆ ଭଳି ଦେଶ ଚନ୍ଦ୍ରରେ ସେମାନଙ୍କର ଅଭିଯାନ ଜାରି ରଖିଛନ୍ତି । ଚନ୍ଦ୍ରଯାନ ସମେତ ଚନ୍ଦ୍ର କକ୍ଷରେ ନାସାର ଲୁନାର ରିକନିସାନ୍ସ ଅର୍ବିଟାର, ନାସାର ଆର୍ଟେମିସ୍ ଅନ୍ତର୍ଗତ ଆଉ ଦୁଇ ମିଶନ, କୋରିଆ ପାଥଫାଇଣ୍ଡର ଲୁନାର ଅର୍ବିଟାର ଏବଂ ନାସା କ୍ୟାପଷ୍ଟୋନ୍ ମିଶନ ରହିଛି । ନାସାର ଲୁନାର ରିକନିସାନ୍ସ ଅର୍ବିଟରକୁ ୨୦୦୯ ମସିହାରେ ଚନ୍ଦ୍ରକୁ ଉତକ୍ଷେପଣ କରାଯାଇଥିଲା । ଏହା ମାଧ୍ୟମରେ ଚନ୍ଦ୍ର ପୃଷ୍ଠକୁ ମାପିବାକୁ ଚେଷ୍ଟା କରାଯାଉଛି । ନାସା ଆର୍ଟେମିସର ପି-୧ ଓ ପି-୨ ମିଶନ ଜୁନ୍ ୨୦୨୨ରୁ ଚନ୍ଦ୍ର କକ୍ଷରେ ଅଛନ୍ତି । ନାସାର କ୍ୟାପଷ୍ଟୋନ୍ ଏନଆରଏଚ୍ ମଧ୍ୟ ଚନ୍ଦ୍ର କକ୍ଷରେ ଅଛି । ଏହାରି ମଧ୍ୟରେ ଋଷ ମଧ୍ୟ ପୁଣି ତା’ର ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି । ଚନ୍ଦ୍ରକୁ ପଠାଇଛି ଲୁନା-୨୫ । ଯାହା ଅଗଷ୍ଟ ୧୬ରେ ଚନ୍ଦ୍ର ପୃଷ୍ଠରେ ପ୍ରବେଶ କରିଥିବା କୁହାଯାଉଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଲୁନା-୨୫ ।

ଚନ୍ଦ୍ର କକ୍ଷରେ ଭିଡ଼ ବଢ଼ୁଥିବାରୁ ପରସ୍ପର ମଧ୍ୟରେ ଧକ୍କା ଖାଇବାର ଆଶଙ୍କା ରହିଛି । ମହାକାଶ ଯାନ ଯେଭଳି ପରସ୍ପର ମଧ୍ୟରେ ଧକ୍କା ନଖାଇବ ତାହା ଏବେ ବଡ଼ ଚ୍ୟାଲେଞ୍ଜ । ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲା ଚନ୍ଦ୍ରଯାନ-୨ । ୨୦୧୯ ଜୁଲାଇ ୩୧ରେ ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିବା ଚନ୍ଦ୍ରଯାନ-୨ ଅର୍ବିଟର ୩ ଥର ଅନ୍ୟ ମହାକାଶ ଯାନ ସହ ଧକ୍କା ହେବାରୁ ବର୍ତ୍ତିଥିଲା । ଚନ୍ଦ୍ର କକ୍ଷରେ ବଢ଼ୁଥିବା ଟ୍ରାଫିକ ସମସ୍ୟା ଇସ୍ରୋ ପାଇଁ ବଡ଼ ଚ୍ୟାଲେଞ୍ଜ । କେବଳ ବର୍ତ୍ତମାନ ପାଇଁ ନୁହେଁ, ବରଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିଛି ଇସ୍ରୋ । ମହାକାଶ ଯାନ ଗୁଡ଼ିକ କିଭଳି ପରସ୍ପର ମଧ୍ୟରେ ଧକ୍କା ନଖାଇବ, ସେଥିପାଇଁ ମଡ୍ୟୁଲରେ ମ୍ୟାନୁଭର କରାଯାଇ ଥାଏ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।