ଟ୍ରାଫିକ୍ କର୍ମଚାରୀଙ୍କ ବାହାଦୂରି: ଅଳ୍ପକେ ବର୍ତ୍ତିଗଲା ୪ ଜୀବନ

ଦେବଦୂତ ସାଜିଲେ ଟ୍ରାଫିକ କର୍ମଚାରୀ । ଗାଡ଼ି ନୁହେଁ ବରଂ ଯମଦୂତଙ୍କୁ ଅଟକାଇଦେଲେ । ନିଜ ଜୀବନକୁ ବାଜି ଲଗାଇ ମୁତ୍ୟୁ ମୁଖରୁ ବଞ୍ଚାଇଲେ ଅନ୍ୟର ଜୀବନ । ତାଙ୍କର ଦୁଃସାହାସିକ ପଦକ୍ଷେପ ଯୋଗୁଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ୪ ଜୀବନ ।  ଆଉ ଏଭଳି ବାହାଦୂରି ଦେଖାଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଟ୍ରାଫିକ୍‌ କନ୍‌ଷ୍ଟେବଲ୍‌ ଲଳିତ ମୋହନ ନାୟକ ।

ଘଟଣାନୁଯାୟୀ, ଶନିବାର ରାତିରେ ଶିଖରପୁର ଟ୍ରାଫିକ ପୋଷ୍ଟରେ ଡ୍ୟୁଟି କରୁଥିବା ବେଳେ ଜଗତପୁରପୁର ଆଡୁ ଏକ ଟ୍ରଲର ସିଗ୍ନାଲ ନ ମାନି ଆଗକୁ ମଡ଼ିଆସୁଥିବା ଦେଖିଥିଲେ ଲଳିତ । ସ୍ନିଗାଲ ସତ୍ତ୍ୱେ ନଅଟକିବାରୁ, ଟ୍ରଲ୍‌ରକୁ ଅଟକାଇବା ଲାଗି ଆପଣାଇଥିଲେ ଅନ୍ୟ ଉପାୟ । ଟ୍ରାଫିକ୍‌ ପୋଷ୍ଟ ଉପରୁ ଦୌଡ଼ି ଆସି ଛିଡ଼ା ହୋଇଯାଇଥିଲେ ଟ୍ରଲ୍‌ର ସାମ୍ନାରେ । ଟ୍ରଲ୍‌ରକୁ ରୋକିବା ଲାଗି ଲଳିତଙ୍କ ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ସେଠାରେ ଉପସ୍ଥିତ ଲୋକଙ୍କୁ ଚକିତ କରିଦେଇଥିଲେ । କିନ୍ତୁ ମାତ୍ର କିଛି ମୁହୂର୍ତ୍ତ ପରେ ଏହାର କାରଣ ବୁଝିପାରିଥିଲେ ସେଠାରେ ଉପସ୍ଥିତ ଲୋକେ । କାହିଁକି ନା ସେମାନେ ଦେଖିପାରିଥିଲେ ସେହି ରାସ୍ତା ଦେଇ ପାର ହେଉଥିବା ୪ଜଣ ଲୋକଙ୍କୁ । ଯଦି ଟ୍ରଲ୍‌ରକୁ ଲଳିତ ରୋକିନଥାନ୍ତେ ତା’ହେଲେ ଦୁର୍ଘଟଣା ଏକ ପ୍ରକାର ନିଶ୍ଚିତ ଥିଲା । କିନ୍ତୁ ଲଳିତଙ୍କ ଏଭଳି ବାହାଦୂରି ଲାଗି  ଅଳ୍ପକେ ବର୍ତ୍ତିଗଲା ୪ ଜୀବନ । ଲଳିତଙ୍କ ଏଭଳି ଦୁଃସାହାସ ଦେଖି ସବାସି ଜଣାଇଥିଲେ ଉପସ୍ଥିତ ଲୋକେ ।  ଟ୍ରାଫିକ୍‌ ନିୟନ୍ତ୍ରଣ ବେଳେ ଗାଡ଼ିକୁ ଅଟକାଉଥିବା ଲଳିତ ଆଜି ଯମଦୂତଙ୍କୁ ଅଟକାଇଦେଇଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ।

Leave a Reply