ଗର୍ଭବତୀଙ୍କୁ ବସଷ୍ଟାଣ୍ଡରେ ପ୍ରସବ କରାଇଲେ ଟ୍ରାଫିକ କନେଷ୍ଟବଳ

ଭଦ୍ରକ: ମେଡିକାଲରେ ସନ୍ତାନ ଜନ୍ମ ନହେବାରୁ ପୂଜା କରିବା ପାଇଁ ଘରକୁ ଯାଉଥିଲେ । ପ୍ରସବ ବେଦନା ହେବାରୁ ବସଷ୍ଟାଣ୍ଡରେ ପ୍ରସବ କରାଇଲେ ଟ୍ରାଫିକ କନେଷ୍ଟବଳ । ଭଦ୍ରକ ଜିଲ୍ଲା ବନ୍ତ ଛକ ବସଷ୍ଟାଣ୍ଡରେ ଏଭଳି ଘଟଣା ଘଟିଛି । ବାଲେଶ୍ଵର ଜିଲ୍ଲା ଡୁଙ୍ଗୁରା ଅଞ୍ଚଳର ମାଲେ ହୋ ପ୍ରସବ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ୫ଦିନରୁ ଅଧିକ ଦିନ ବିତିଥିଲେ ବି ସନ୍ତାନ ଜନ୍ମ ହୋଇ ନଥିଲା । ସେଥିପାଇଁ ମାଲେ, ତାଙ୍କ ସ୍ଵାମୀ ଓ ଶାଶୂ ଘରକୁ ଯାଉଥିଲେ । କିନ୍ତୁ ବସଷ୍ଟାଣ୍ଡରେ ମାଲେଙ୍କର ପ୍ରସବ ବେଦନା ହୋଇଥିଲା ।

ସ୍ଥାନୀୟ ଲୋକମାନେ ମହିଳାମାନଙ୍କ ସହଯୋଗରେ ଶାଢି ବେଢ଼ାଇ ବସଷ୍ଟାଣ୍ଡରେ ପ୍ରସବ କରାଇଥିଲେ । ସହଯୋଗ କରିଥିଲେ କାର୍ଯ୍ୟରତ ମହିଳା କନେଷ୍ଟବଳ ସାବିତ୍ରୀ ନାୟକ । କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ପରେ ଅମ୍ବୁଲାନ୍ସରେ ମାଲେଙ୍କୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ମହିଳା କନେଷ୍ଟବଳ ସାବିତ୍ରୀ ନାୟକ ଓ ସ୍ଥାନୀୟ ମହିଳାମାନଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି ।

Leave a Reply