ଜିନିଷ ମହରଗ କରି ମାଲାମାଲ ହେଉଛନ୍ତି ବ୍ୟବସାୟୀ, ଚିନ୍ତାରେ ଖାଉଟି

ଜିନିଷ ମହରଗ କରି ମାଲାମାଲ ହେଉଛନ୍ତି ବ୍ୟବସାୟୀ । ଏପଟେ ଦରବୃଦ୍ଧି ଯୋଗୁ ନୟାନ୍ତ ଖାଉଟିର ଦିନକୁ ଦିନ ଚିନ୍ତା ବଢିଚାଲିଛି । ବ୍ୟବସାୟିକ ଏଲପିଜିର ଦର କମୁଛି । ହେଲେ କମୁନି ଘରୋଇ ଏଲପିଜି ଦର । ଗତ ଏପ୍ରିଲ ମାସ ଠାରୁ ୧୯ କେଜି କମର୍ସିଆଲ ବା ବ୍ୟବସାୟିକ ରନ୍ଧନ ଗ୍ୟାସ ଦର ଲଗାତର କମି ଚାଲିଛି । କିନ୍ତୁ ଗରିବ ଓ ମଧ୍ୟବିତ୍ତ ଲୋକେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ ଦର କମା ଯାଉ ନାହିଁ। ଯାହାକୁ ନେଇ ସାଧାରଣ ଲୋକଙ୍କ ସମେତ ଜନ ସଂଗଠନ ସରକାର ଉପରେ ବର୍ଷିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଅଶୌଧିତ ତୈଳ ଦର ଆଧାରରେ ଯଦି ବ୍ୟବସାୟିକ ଗ୍ୟାସ ଦର କମୁଛି, ତାହେଲେ ଘରୋଇ ଗ୍ୟାସ ଦର ସେହି ଆଧାରରେ କାହିଁକି କମୁ ନାହିଁ ବୋଲି ପ୍ରଶ୍ନ ଉଠିଛି। ବିରୋଧୀ ଦଳଗୁଡିକ ମଧ୍ୟ ଏହି ଗ୍ୟାସର ଉଦାହରଣ ଦେଇ ସରକାରଙ୍କୁ ବ୍ୟବସାୟୀଙ୍କ ସରକାର ବୋଲି ଅଭିଯୋଗ ଆଣିଛନ୍ତି।
ବେରୋଜଗାର ସଂଖ୍ୟା ବୃଦ୍ଧି ଯୋଗୁ ଲୋକେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ହୋଇପଡିଥିବା ବେଳେ ଦରଦାମ ବୃଦ୍ଧି ଓ ରନ୍ଧନ ଗ୍ୟାସ ଦର ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଏସବୁ ପ୍ରସଙ୍ଗକୁ ନେଇ ରାଜନୈତିକ ଦଳ ଗୁଡିକ ଡବଲ ଇଞ୍ଜିନ ସରକାରକୁ କଡା ସମାଲୋଚନା କରିଛନ୍ତି । ତୁରନ୍ତ ବ୍ୟବସାୟୀ ଓ କର୍ପୋରେଟ ପ୍ରୀତି ଛାଡି ସରକାର ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ଦାବି କରିଛି ବାମପନ୍ଥୀ ଦଳ । ଅନ୍ୟପକ୍ଷରେ ଏଲପିଜି ଆସୋସିଏସନର କହିବା କଥା ବ୍ୟବସାୟିକ ଏଲପିଜି ଦର କାହିଁକି କମୁଛି ଓ ଘରୋଇ ଏଲପିଜି ଦର କାହିଁକି କମୁ ନାହିଁ ତାହା ସରକାର ହିଁ କହିପାରିବେ। ଗତ ଫେବୃଆରୀ ମାସରେ ବ୍ୟବସାୟିକ ଏଲପିଜି ଦର ୫ ଟଙ୍କା କମିଥିବା ବେଳେ ଏପ୍ରିଲ ମାସଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦରରେ ୨୨୫ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।