ଟ୍ରେଡ୍ ୟୁନିଅନ୍‌ର ବନ୍ଦ ଡାକରା: ରାଜଧାନୀରେ ଯାତ୍ରୀବାହୀ ବସ୍‌କୁ ଅଟକାଇଲେ ଆନ୍ଦୋଳନକାରୀ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ୧୨ ଦଫା ଦାବିରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ରାଜଧାନୀରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।  ବିକ୍ଷୋଭକାରୀ ଯାତ୍ରୀବାହୀ ବସ୍ ଅଟକାଇବା ସହ ପିକେଟିଂ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ବସ୍ ଅଟକି ରହିଥିବା ବେଳେ ଏଣୁ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

 ଆଜି ଓ ଆସନ୍ତାକାଲି ଦୁଇ ଦିନି ପାଇଁ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିଅନ । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ଭାରତ ବନ୍ଦ ପାଳନ କରୁଛି ଟ୍ରେଡ ୟୁନିୟନ । ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଶ୍ରମ କୋଡ୍ ପ୍ରତ୍ୟାହାର, ଦରଦାମ ନିୟନ୍ତ୍ରଣ କରିବା ସହ ୧୨ ଦଫା ଦାବି ନେଇ ବନ୍ଦ ପାଳନ ହେଉଛି । ଧର୍ମଘଟକୁ ବ୍ୟାଙ୍କ ୟୁନିୟନ ସମର୍ଥନ କରିଥିବା ବେଳେ ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘ ଗୁଡିକ ମଧ୍ୟ ସମର୍ଥନ ଜଣାଇ ଧର୍ମଘଟରେ ସାମିଲ ହୋଇଛନ୍ତି ।

ବ୍ୟାଙ୍କ ଓ ବୀମା ସହିତ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ କର୍ମଚାରୀ ସଂଘ, ଦୂରସଞ୍ଚାର କର୍ମଚାରୀ ସଂଘ, ଆୟକର ବିଭାଗ କର୍ମଚାରୀ ସଂଘଗୁଡିକ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଦୁଇ ଦିନିଆ ଭାରତ ବନ୍ଦରେ ସାମିଲ ହୋଇଛନ୍ତି । ଆନ୍ଦୋଳନରେ କଳ କାରଖାନା, ଦୋକାନ ବଜାର, ବସ, ଟ୍ରକ ଚଳାଚଳ ଓ ପରିବହନ ସେବା ବନ୍ଦ ରହିବା ନେଇ ଶ୍ରମିକ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ବିଭିନ୍ନ ସ୍ଥାନରେ ରେଳରୋକ କରାଯିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି ।