ଟ୍ରାକ ମରାମତି କାମ ଶେଷ, ସ୍ବାଭାବିକ ହେଲା ଟ୍ରେନ୍ ଚଳାଚଳ

କଟକ: କଟକ ନିକଟ ନିର୍ଗୁଣ୍ଡିରେ ମରାମତି କାମ ଶେଷ ହୋଇଛି। ରେଳ ବିଭାଗ ପକ୍ଷରୁ କୁହାଯାଇଛି, ରାତି ସାରା ଅକ୍ଲାନ୍ତ ପରିଶ୍ରମ ପରେ ସକାଳ ୭ ଟା ୧୫ ସୁଦ୍ଧା ଟ୍ରାକ୍ ମରାମତି ସରିଛି। ଏହା ପରେ ଏହି ରୁଟରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି। ସେପଟେ ରେଳୱେ ସେଫଟି କମିଶନର୍ ଘଟଣାସ୍ଥଳ ପରିଦର୍ଶନ କରି ଦୁର୍ଘଟଣାର କାରଣ ଖୋଜିଛନ୍ତି। ପୁରା ଘଟଣାର ସେ ତଦନ୍ତ କରିଛନ୍ତି। ତଦନ୍ତ ବେଳେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଗତକାଲି ସକାଳେ ନିର୍ଗୁଣ୍ଡି ନିକଟରେ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା।

ଏଥିରେ ଜଣଙ୍କର ମୃତ୍ୟୁ ସହିତ ଅନେକ ଆହତ ହୋଇଥିଲେ। ମୃତକଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ଗୁରୁତର ଆହତ ବ୍ଯକ୍ତିଙ୍କୁ ୨ ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି। ଆହତମାନେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତକାଲି ଦୁର୍ଘଟଣା ପରେ ପ୍ରାୟ ୨୪ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଥିଲା। ଆଜି ସ୍ଥିତି ସ୍ବାଭାବିକ ହୋଇଛି।